Latest Odisha News

BREAKING NEWS

ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ ୧୦ ଦିନିଆ ଗଣପତି ପୂଜାର ସମ୍ପୂର୍ଣ୍ଣ ବିଧି ଓ ମହତ୍ତ୍ୱ

ଭାରତୀୟ ସଂସ୍କୃତି ତଥା ହିନ୍ଦୁ ଧର୍ମରେ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସାରା ଦେଶରେ ପବିତ୍ର ଗଣେଶ ଚତୁର୍ଥୀ ଅତି ଉତ୍ସାହର ସହ ପାଳନ କରାଯାଏ । ଏହି ମହାପର୍ବ ଚତୁର୍ଥୀଠାରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଚାଲିଥାଏ। ଏହି ୧୦ ଦିନ ପାଇଁ ଭକ୍ତମାନେ ନିଜ ଘରେ ବା ସାର୍ବଜନୀନ ମଣ୍ଡପରେ ଗଣପତି ବାପ୍ପାଙ୍କୁ ସ୍ଥାପନ କରି ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଘରେ ପ୍ରଭୁ ଗଜାନନଙ୍କୁ ସ୍ଥାପନ କଲେ କିପରି ତାଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ଉଚିତ୍, ସେ ନେଇ ଜାଣିବା ନିହାତି ଜରୁରୀ ।

ପୂଜାର ପ୍ରଥମ ଦିନ ଅର୍ଥାତ୍ ଚତୁର୍ଥୀ ତିଥିରେ ଘରର ଐଶାନ୍ୟ କୋଣ କିମ୍ବା ଉତ୍ତର ଦିଗରେ ଏକ କାଠ ପିଢ଼ା ବା ଆସନ ଉପରେ ନାଲି କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପକାଇ ପ୍ରଭୁଙ୍କ ମୂର୍ତ୍ତି ସ୍ଥାପନ କରିବା ଉଚିତ୍। ଗଙ୍ଗାଜଳ ସିଞ୍ଚନ କରି ସ୍ଥାନକୁ ପବିତ୍ର କରିବା ପରେ ଗଣେଶଙ୍କ ମୂର୍ତ୍ତିକୁ ବିରାଜମାନ କରାଯାଏ। ଏହାପରେ ଦୂବ, ଅକ୍ଷତ, ଚନ୍ଦନ ଓ ପୁଷ୍ପ ଦେଇ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରାଣ ପ୍ରତିଷ୍ଠା କରାଯିବାର ବିଧି ରହିଛି ।

ଗଣେଶଙ୍କୁ ଘରେ ସ୍ଥାପନ କରିବା ପରେ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ନିତ୍ୟକର୍ମ ଭାବେ ଉଭୟ ସକାଳ ଓ ସନ୍ଧ୍ୟାରେ ଆଳତି କରିବା ବାଧ୍ୟତାମୂଳକ। ପ୍ରଭୁଙ୍କୁ ସିନ୍ଦୂର, କୁଙ୍କୁମ, ନାଲି ମନ୍ଦାର ଫୁଲ ଏବଂ ତାଙ୍କର ଅତି ପ୍ରିୟ ଦୂବ (ଦୁର୍ବା ଘାସ) ଅର୍ପଣ କରାଯାଏ। ଭୋଗରେ ପ୍ରତିଦିନ ତାଙ୍କ ପ୍ରିୟ ମୋଦକ କିମ୍ବା ଲଡୁ ଚଢ଼ାଇବା ଦ୍ୱାରା ବାପ୍ପା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ପୂଜା ସମୟରେ ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ଜପ କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

ଯେଉଁ ୧୦ ଦିନ ବାପ୍ପା ଘରେ ବିରାଜମାନ କରନ୍ତି, ସେହି ସମୟରେ ଘରର ପରିବେଶକୁ ସମ୍ପୂର୍ଣ୍ଣ ଶୁଦ୍ଧ ଓ ସାତ୍ତ୍ୱିକ ରଖିବା ନିହାତି ଆବଶ୍ୟକ। ପରିବାରର ସଦସ୍ୟମାନେ ପିଆଜ ଓ ରସୁଣ ଠାରୁ ଦୂରେଇ ରହି ସମ୍ପୂର୍ଣ୍ଣ ନିରାମିଷ ଆହାର ଗ୍ରହଣ କରିବା ଉଚିତ୍। ପ୍ରଭୁଙ୍କୁ ଏକୁଟିଆ ଛାଡ଼ି ଘର ପରିବାରର ସମସ୍ତ ସଦସ୍ୟ ଏକାସାଙ୍ଗରେ ଘରୁ ବାହାରକୁ ଯିବା ବାରଣ କରାଯାଇଛି।

ଦଶମ ଦିନ ଅର୍ଥାତ୍ ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଏହି ମହାପର୍ବର ସମାପ୍ତି ଘଟିଥାଏ। ଏହି ଦିନ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ଗଣେଶଙ୍କୁ ବିଦାୟ ଆଳତି ଦିଆଯାଏ । ପୂଜା ସମୟରେ ହୋଇଥିବା କୌଣସି ଜାଣତ ବା ଅଜାଣତ ଭୁଲ୍ ପାଇଁ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଏ। ଶେଷରେ ଆଖିରେ ଲୁହ ଏବଂ ମନରେ ଅପାର ଭକ୍ତି ନେଇ “ଗଣପତି ବାପ୍ପା ମୋରିୟା, ଆସନ୍ତା ବର୍ଷ ଜଲ୍ଦି ଆସିବ” ଧ୍ୱନି ମଧ୍ୟରେ କୌଣସି ପବିତ୍ର ନଦୀ କିମ୍ବା ଜଳାଶୟରେ ବାପ୍ପାଙ୍କୁ ବିସର୍ଜନ କରାଯାଏ ।

Leave A Reply

Your email address will not be published.