ଭୁବନେଶ୍ବର:ଓଡ଼ିଆ ଚଳଚ୍ଚିତ୍ର “ମାଳିପୁଟ ମେଲୋଡିଜ୍” ଆସନ୍ତା ସେପ୍ଟେମ୍ବର ୧୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ । କୋରାପୁଟର କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ ସହ ସଂଘର୍ଷର କାହାଣୀକୁ ନେଇ ଆସୁଛି “ମାଳିପୁଟ ମେଲୋଡିଜ୍” । ଆଧୁନିକତାର ଛାପରେ ଲୋପ ପାଉଥିବା କୂଳ ବେଉସା, ଗ୍ରାମ୍ୟ ଜୀବନ ଓ ପୁରୁଣା ଦିନର ସଂଘର୍ଷ ଏହି ଚଳଚ୍ଚିତ୍ରରେ ସ୍ଥାନିତ ହୋଇଛି । ସିନେମାରେ ସିନେ ଦୁନିଆରେ ଚିହ୍ନା ମୁହଁ ନାହାଁନ୍ତି । ୭୫% କଳାକାର ହେଉଛନ୍ତି ଗାଁର ପ୍ରତିଭା, ଆଉ ୨୫% ମଞ୍ଚ କଳାକାର । ସେମାନ ନିଜ ଅଭିନୟ ମାଧ୍ୟମରେ ଚଳଚ୍ଚିତ୍ରକୁ ଜୀବନ୍ତ କରିଛନ୍ତି ।
ପୂର୍ବରୁ ଏହି ଚଳଚ୍ଚିତ୍ରଟି ଗୋଆରେ ଅନୁଷ୍ଠିତ ୫୬ ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(IFFI) ୨୦୨୫ରେ ଇଣ୍ଡିଆନ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା । ସେଠାରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ ପ୍ରଦର୍ଶିତ ହୋଇଥିଲା ।
ଏହି ସିନେମା ନିପଟ ମଫସଲର ଚାରଟି କାହାଣୀ ଉପରେ ଆଧାରିତ । ଏଥିରେ ଲୋପ ପାଇଯାଉଥିବା ବଂଶୀ, ମାଟି କଣ୍ଢେଇ କାରିଗରର କାହାଣୀ, ଅଲୋଡା ପାରମ୍ପରିକ ବାଜା ଦଳର ରୋଜଗାର ଖୋଜିବାର ଅକୁହା କଷ୍ଟ, ଇଟା ଭାଟିରେ କାମ କରିବା ସହ ଦାଦନ ଦୁଃଖର କଥା, ପାଠପଢ଼ା ସହ ସଂଘର୍ଷ ଆଧାରିତ କାହାଣୀ ଦେଖିବାକୁ ମିଳିବ । ଗାଁ ପରିବେଶ, କଳା ଓ କୌଳିକ ବୃତ୍ତିକୁ ନେଇ ବଞ୍ଚୁଥିବା ଲୋକଙ୍କ ଜୀବନ କେମିତି ଆଜିବି ରହିଛି ତାହା ଏଥିରେ ଦେଖିବାକୁ ମିଳିବ ।
କୌସ୍ତୁଭ ଡ୍ରିମ୍ ୱାର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ସିନେମାଟି ‘U/A’ ପ୍ରମାଣପତ୍ର ହାସଲ କରିଛି । ସିନେମାର ନିର୍ଦ୍ଦେଶକ ଉଦୀୟମାନ ଯୁବ ତାରକା ବିଶାଲ ପଟ୍ଟନାୟକ ରହିଥିବା ବେଳେ ଅଭିଜ୍ଞ ପ୍ରଯୋଜକ କୌଶିକ ଦାସ, ଗୀତ ଓ ସଙ୍ଗୀତକାର ତୋଷ ନନ୍ଦ, କାହାଣୀକାର ସୁଧାକର ପଟ୍ଟନାୟକ ଏବଂ ସହ ପ୍ରଯୋଜକ ରାମ ପଟ୍ଟନାୟକ ରହିଛନ୍ତି ।
ସୂଚନାଥାଉକି, ଫିଲ୍ମ ମୁକ୍ତିଲାଭ ହେବା ପୂର୍ବରୁ ଫିଲ୍ମର ସମସ୍ତ କଳାକାର, ଟେକ୍ନିସିଆନ୍ସଙ୍କ ସମେତ ସ୍ୱତନ୍ତ୍ର ଅତିଥିମାନଙ୍କ ଗହଣରେ ସିନେମାର ସ୍ପେଶାଲ ସ୍କ୍ରିନିଂ କଳ୍ପନା ସ୍ଥିତ ପିଭିଆର୍ ସିନେମା ହଲ୍ରେ ଅନୁଷ୍ଠିତ ହୋଇଛି ।

