Latest Odisha News

BREAKING NEWS

ପିତୃ ଦୋଷ କ’ଣ ଏବଂ ଏହା ଜୀବନ ଉପରେ କି ପ୍ରଭାବ ପକାଏ? ପିତୃ ପକ୍ଷରେ କରନ୍ତୁ ଏହି ସ୍ୱତନ୍ତ୍ର ପ୍ରତିକାର

ଭୁବନେଶ୍ୱର: ହିନ୍ଦୁ ସନାତନ ଧର୍ମରେ ପିତୃ ପକ୍ଷର ବିଶେଷ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣ ପକ୍ଷକୁ ପିତୃ ପକ୍ଷ ବା ଶ୍ରାଦ୍ଧ ପକ୍ଷ ଭାବରେ ପାଳନ କରାଯାଏ । ଏହି ସମୟ ନିଜର ସ୍ୱର୍ଗତ ପୂର୍ବପୁରୁଷମାନଙ୍କୁ ସ୍ମରଣ କରିବା ଏବଂ ସେମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଉତ୍ସର୍ଗୀକୃତ। ଚଳିତ ବର୍ଷ ମଧ୍ୟ ପିତୃ ପକ୍ଷକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନେକ ସମୟରେ ବ୍ୟକ୍ତିର କୁଣ୍ଡଳୀରେ ଥିବା ‘ପିତୃ ଦୋଷ’ ଜୀବନରେ ଅନେକ ପ୍ରକାରର ବାଧାବିଘ୍ନ ସୃଷ୍ଟି କରିଥାଏ । ପିତୃ ପକ୍ଷ ହେଉଛି ଏହି ଦୋଷ ଖଣ୍ଡନ କରିବାର ସବୁଠାରୁ ଉତ୍ତମ ତଥା ପବିତ୍ର ସମୟ ।

ପିତୃ ଦୋଷ କ’ଣ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତିର ପୂର୍ବପୁରୁଷମାନେ ଅସନ୍ତୁଷ୍ଟ ଥାଆନ୍ତି କିମ୍ବା ସେମାନଙ୍କର ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର କିମ୍ବା ଶ୍ରାଦ୍ଧ କରାଯାଇ ନଥାଏ, ତେବେ ପରିବାରର ପରବର୍ତ୍ତୀ ପିଢ଼ିକୁ ପିତୃ ଦୋଷର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାବ୍ୟତୀତ କୁଣ୍ଡଳୀରେ ନବମ ସ୍ଥାନ, ଯାହାକୁ ଧର୍ମ ଏବଂ ପିତାଙ୍କ ସ୍ଥାନ କୁହାଯାଏ, ସେଠାରେ ରାହୁ କିମ୍ବା କେତୁଙ୍କ ପ୍ରଭାବ ଥିଲେ ବ୍ୟକ୍ତିର କୁଣ୍ଡଳୀରେ ପିତୃ ଦୋଷ ସୃଷ୍ଟି ହୁଏ ।

କୁଣ୍ଡଳୀରେ କିପରି ଚିହ୍ନିବେ ପିତୃ ଦୋଷ?

ଜ୍ୟୋତିଷ ବିଶେଷଜ୍ଞଙ୍କ ମତରେ, କୁଣ୍ଡଳୀରେ ପିତୃ ଦୋଷ ଥିଲେ ବାସ୍ତବ ଜୀବନରେ କିଛି ସ୍ୱତନ୍ତ୍ର ଲକ୍ଷଣ ଦେଖାଦିଏ:

  • ବ୍ୟକ୍ତିର କଠିନ ପରିଶ୍ରମ ସତ୍ତ୍ୱେ ଆର୍ଥିକ ସମସ୍ୟା ଲାଗି ରହିବା ଏବଂ କରଜ ବଢ଼ିବା
  • ପରିବାରରେ ସର୍ବଦା ଅଶାନ୍ତି, ଅକାରଣ ବିବାଦ ଏବଂ ଘରର ସଦସ୍ୟମାନେ ବାରମ୍ବାର ରୋଗାକ୍ରାନ୍ତ ହେବା
  • ବିବାହରେ ଅଯଥା ବିଳମ୍ବ ହେବା କିମ୍ବା ବୈବାହିକ ଜୀବନରେ ତିକ୍ତତା ଦେଖାଦେବା
  • ସନ୍ତାନ ପ୍ରାପ୍ତିରେ ବାଧା ଉପୁଜିବା କିମ୍ବା ପିଲାମାନଙ୍କର ଉନ୍ନତିରେ ଅବନତି ଘଟିବ

ଯଦି କାହା ଜୀବନରେ ଏଭଳି ସମସ୍ୟା କ୍ରମାଗତ ଭାବେ ଲାଗି ରହୁଛି, ତେବେ ତାହା ପିତୃ ଦୋଷର କାରଣ ହୋଇପାରେ ।

ନିରାକରଣ ଓ ପ୍ରତିକାର

ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ପିତୃ ପକ୍ଷ ହିଁ ଶ୍ରେଷ୍ଠ ସମୟ। ଏହି ଦିନଗୁଡ଼ିକରେ ପ୍ରତିଦିନ ସକାଳେ ସ୍ନାନ ସାରି ଦକ୍ଷିଣ ଦିଗକୁ ମୁହଁ କରି ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଜଳ ଅର୍ପଣ କରିବା ଉଚିତ୍ । ବିଶେଷକରି ପିତୃ ପକ୍ଷର ଅମାବାସ୍ୟା ଦିନ ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ଗରିବ ଲୋକଙ୍କୁ ବସ୍ତ୍ର ଓ ଅର୍ଣ୍ଣ ଦାନ କରିବା ଲାଭଦାୟକ ହୋଇଥାଏ ।

ଏହା ସହିତ ଗାଈ, କୁକୁର ଏବଂ କାଉଙ୍କୁ ପ୍ରତିଦିନ ଖାଦ୍ୟ ଦେବା ଦ୍ୱାରା ପୂର୍ବପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଶ୍ରଦ୍ଧା ଏବଂ ନିଷ୍ଠାର ସହ ଏହି ସବୁ ନିୟମ ପାଳନ କଲେ ପୂର୍ବପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଫେରିଆସେ ।

Leave A Reply

Your email address will not be published.