ଲଣ୍ଡନ : ପାକିସ୍ତାନ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡର ତାରକା ବ୍ୟାଟର୍ ଜୋ ରୁଟ୍ ଟେଷ୍ଟ କ୍ରିକେଟ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ବିଶ୍ୱର ତୃତୀୟ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ ତାଙ୍କଠାରୁ ଆଗରେ ରହିଛନ୍ତି ।
ନିଜର ୧୬୯ତମ ଟେଷ୍ଟ ଖେଳି ରୁଟ୍ ଅଷ୍ଟ୍ରେଲିଆର ଦୁଇ କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂ ଏବଂ ଷ୍ଟିଭ୍ ୱ’ଙ୍କ (୧୬୮ ମ୍ୟାଚ୍) ରେକର୍ଡ ଭାଙ୍ଗିଛନ୍ତି । ଏବେ ତାଙ୍କ ଆଗରେ କେବଳ ଭାରତର ସଚିନ ତେନ୍ଦୁଲକର (୨୦୦) ଏବଂ ଜେମ୍ସ ଆଣ୍ଡରସନ୍ (୧୮୮) ରହିଛନ୍ତି । ପାକିସ୍ତାନ ବିପକ୍ଷ ଏହି ତୃତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ପାକିସ୍ତାନର ବ୍ୟାଟିଂ ବିପର୍ୟ୍ୟୟ ଘଟିଛି । ଇଂଲଣ୍ଡ ଟିମ୍ ପୂର୍ବରୁ ଆଗୁଆ ରହିଥିଲେ ବି ରୁଟ୍ଙ୍କ ବ୍ୟାଟ୍ରୁ ବଡ଼ ସ୍କୋର ଦେଖିବାକୁ ମିଳିନାହିଁ । ତେବେ ଟେଷ୍ଟ୍ କ୍ରିକେଟ୍ରେ ସଚିନ ତେନ୍ଦୁଲକରଙ୍କ ୬୮ଟି ଅର୍ଦ୍ଧଶତକର ରେକର୍ଡ ସହ ରୁଟ୍ ସମକକ୍ଷ ରହିଛନ୍ତି । ଆଉ ଗୋଟିଏ ଅର୍ଦ୍ଧଶତକ ସହ ସେ ସଚିନଙ୍କୁ ମଧ୍ୟ ପଛରେ ପକାଇଦେବେ ।

