ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
କୋଲକାତା: ପାଖେଇ ଆସୁଛି ଦୁର୍ଗା ପୂଜା। ଆଉ ଏହି ସମୟରେ ପଶ୍ଚିମବଙ୍ଗରେ ଆମିଷ ଖାଇବାକୁ ନେଇ ତେଜିଛି ବିବାଦ। ବଙ୍ଗାଳୀମାନେ କଣ ଖାଇବେ ତାହା କୌଣସି ବାବା ସ୍ଥିର କରିପାରିବେନି ବୋଲି କହି ବାଗେଶ୍ୱର ଧାମ ମୁଖ୍ୟ ପୁରୋହିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନିଶାନା କଲେ ରାଜ୍ୟ ବିଜେପି ସଭାପତି ଶମୀକ ଭଟ୍ଟାଚାର୍ଯ୍ୟ। ଶମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବଙ୍ଗାଳୀମାନେ ଉତ୍ସବ ସମୟରେ କ’ଣ ଖାଇବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପାଇଁ ତାଙ୍କର କୌଣସି ଅଧିକାର ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସଂକ୍ରାନ୍ତରେ କଣ ଚୂଡ଼ାନ୍ତ ନିଷ୍ପତ୍ତି ନେଉଛନ୍ତି ତାକୁ ନେଇ ଏବେ ଅପେକ୍ଷା।
ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ସମୟରେ ବଙ୍ଗାଳୀମାନେ ଆମିଷ ଖାଇବାକୁ ନେଇ ବାଗେଶ୍ବର ଧାମ ମୁଖ୍ୟ ପୁରୋହିତ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଶ୍ନ ଉଠାଇଥିଲେ। ଆମିଷ ନ ଖାଇବା ସଂକ୍ରାନ୍ତରେ ଶାସ୍ତ୍ରୀଙ୍କ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ ତୃଣମୂଳ ଶାସନ ସମୟରେ ଶାସ୍ତ୍ରୀଙ୍କୁ ପଶ୍ଚିମବଙ୍ଗରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳୁନଥିଲା। ବିଜେପି ସରକାର ଦ୍ବାରା ତାଙ୍କୁ ନିକଟରେ ରାଜ୍ୟରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସ୍ବାଗତ କରାଯାଇଛି। ରବିବାର ସେ ହାଓଡ଼ାରେ ଏକ ପ୍ରବଚନ ଦେବା ସମୟରେ ପଶ୍ଚିମବଙ୍ଗରେ ନବରାତ୍ରି ଓ ଦୁର୍ଗା ପୂଜା ସମୟରେ ଆମିଷ ଖାଦ୍ୟ ବିକ୍ରି ନିଷିଦ୍ଧ କରିବା ପାଇଁ ଅନୁରୋଧ କରିଥିଲେ। ଶାସ୍ତ୍ରୀ କହିଥିଲେ ପୂଜା ସମୟରେ ମଦ ଓ ମାଂସ ଦୋକାନ ବନ୍ଦ ରହିବା ଉଚିତ।
ଦୁର୍ଗା ପୂଜା ସମୟରେ ଯେଉଁମାନେ ଆମିଷ ଭକ୍ଷଣ କରନ୍ତି ସେମାନେ ଅପବିତ୍ର ବୋଲି ଶାସ୍ତ୍ରୀ କହିଥିଲେ। ତେବେ ଶାସ୍ତ୍ରୀଙ୍କ ଏହି ଟିପ୍ପଣୀକୁ ନେଇ ବିବାଦ ହୋଇଛି। ଅନେକେ ଏହାକୁ ବିରୋଧ କରିଛନ୍ତି। ଏହି ବିବାଦ ମଧ୍ୟରେ ବିଜେପି ସଭାପତି ଶମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବାଗେଶ୍ବର ବାବା ଅନ୍ୟ ଏକ ଦୁନିଆରୁ ଆସିଛନ୍ତି। ପଶ୍ଚିମବଙ୍ଗ ଲୋକମାନେ କ’ଣ ଖାଇବେ ଓ କ’ଣ ଖାଇବେନି ସେ ନିଷ୍ପତ୍ତି ନେବାର ଅଧିକାର ବାଗେଶ୍ବର ବାବାଙ୍କର ନାହିଁ। ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ ବୋଲି ସେ କହିଛନ୍ତି। ବଙ୍ଗାଳୀମାନେ ତାଙ୍କ ଟିପ୍ପଣୀକୁ ନେଇ କିଛି ଚିନ୍ତା କରିବା ଉଚିତ ନୁହେଁ ବୋଲି ଶମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି।

