Latest Odisha News

BREAKING NEWS

ପ୍ରଭୁ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର କାହିଁକି ନିଷିଦ୍ଧ? ଜାଣନ୍ତୁ ୧୪ ସେପ୍ଟେମ୍ବରରେ ପଡୁଥିବା ଗଣେଶ ଚତୁର୍ଥୀର ବିଶେଷତ୍ୱ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କୁ ସ୍ମରଣ କରାଯାଏ। ଚଳିତ ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ସେପ୍ଟେମ୍ବର ୧୪ ତାରିଖରେ ଗଣେଶ ଚତୁର୍ଥୀ ମହାସମାରୋହରେ ପାଳନ କରାଯିବ। ସାରା ଦେଶରେ ବିଶେଷକରି ମହାରାଷ୍ଟ୍ର ଏବଂ ଓଡ଼ିଶାରେ ଏହି ପର୍ବକୁ ନେଇ ଭକ୍ତଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖିବାକୁ ମିଳିଥାଏ । ପୂଜା ସମୟରେ ବାପ୍ପାଙ୍କୁ ତାଙ୍କର ପ୍ରିୟ ଲଡୁ, ମୋଦକ ଏବଂ ୨୧ଟି ଦୁବ ଘାସ ଅର୍ପଣ କରିବାର ବିଶେଷ ମହତ୍ତ୍ୱ ରହିଛି । କିନ୍ତୁ ଏହି ଶୁଭ ଅବସରରେ ଗୋଟିଏ ଜିନିଷକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି, ତାହା ହେଉଛି ‘ତୁଳସୀ ପତ୍ର’। ହିନ୍ଦୁ ଧର୍ମରେ ତୁଳସୀଙ୍କୁ ସର୍ବାଧିକ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ପ୍ରଭୁ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ପୂଜା ତୁଳସୀ ବିନା ଅସମ୍ପୂର୍ଣ୍ଣ ମନାଯାଏ । ତେବେ ବିଘ୍ନହର୍ତ୍ତାଙ୍କ ପୂଜାରେ ତୁଳସୀ କାହିଁକି ବାରଣ ହୋଇଛି, ତାହା ପଛରେ ଏକ ଅତ୍ୟନ୍ତ ରୋଚକ ପୌରାଣିକ କାହାଣୀ ଲୁଚି ରହିଛି ।

ବିବାହ ପ୍ରସ୍ତାବ ଓ ମାତା ତୁଳସୀଙ୍କ କ୍ରୋଧ

ବ୍ରହ୍ମବୈବର୍ତ୍ତ ପୁରାଣ ଓ ଅନ୍ୟାନ୍ୟ ପୌରାଣିକ ଗ୍ରନ୍ଥ ଅନୁଯାୟୀ, ଦିନେ ପ୍ରଭୁ ଗଣେଶ ଗଙ୍ଗା ନଦୀ କୂଳରେ କଠୋର ତପସ୍ୟାରେ ମଗ୍ନ ଥିଲେ । ସେହି ସମୟରେ ତୀର୍ଥଯାତ୍ରାରେ ବାହାରିଥିବା ଦେବୀ ତୁଳସୀ ସେହି ବାଟ ଦେଇ ଯାଉଥିଲେ। ରତ୍ନ ଜଡ଼ିତ ସିଂହାସନରେ ବିରାଜମାନ ହୋଇଥିବା ଗଣେଶଙ୍କ ସର୍ବାଙ୍ଗରେ ଚନ୍ଦନ ବୋଳା ହୋଇଥିଲା ଓ ତାଙ୍କ ବେକରେ ପାରିଜାତ ପୁଷ୍ପର ମାଳା ଶୋଭା ପାଉଥିଲା । ତାଙ୍କର ଏହି ମନୋମୋହକ ରୂପ ଦେଖି ତୁଳସୀ ବିମୋହିତ ହୋଇପଡ଼ିଥିଲେ। ନିଜର ଭାବନାକୁ ନିୟନ୍ତ୍ରଣ କରିନପାରି ସେ ତପସ୍ୟାରତ ପ୍ରଭୁ ଗଣେଶଙ୍କ ଧ୍ୟାନ ଭଙ୍ଗ କରିଥିଲେ ଏବଂ ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ । ମାତ୍ର ନିଜକୁ କଠୋର ବ୍ରହ୍ମଚାରୀ ଦର୍ଶାଇ ପ୍ରଭୁ ଗଣେଶ ଏହି ପ୍ରସ୍ତାବକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ। ନିଜ ପ୍ରସ୍ତାବର ପ୍ରତ୍ୟାଖ୍ୟାନକୁ ଗ୍ରହଣ କରିନପାରି ଦେବୀ ତୁଳସୀ ଅତ୍ୟନ୍ତ କ୍ଷୁବ୍ଧ ଓ ଅପମାନିତ ବୋଧ କରିଥିଲେ। ରାଗରେ ସେ ପ୍ରଭୁ ଗଣେଶଙ୍କୁ ଏକାଧିକ ବିବାହ କରିବାକୁ ଅଭିଶାପ ଦେଇଥିଲେ ।

ପ୍ରଭୁ ଗଣେଶଙ୍କ ପାଲଟା ଅଭିଶାପ

ଦେବୀ ତୁଳସୀଙ୍କ ଏପରି ଆଚରଣରେ ପ୍ରଭୁ ଗଣେଶ ମଧ୍ୟ ଅତ୍ୟନ୍ତ କ୍ରୋଧିତ ହୋଇପଡିଥିଲେ। ସେ ତୁଳସୀଙ୍କୁ ଏକ ଅସୁର ସହ ବିବାହ କରିବାକୁ ପାଲଟା ଅଭିଶାପ ଦେଇଥିଲେ। ନିଜର ଏକ ଅସୁର ସହ ବିବାହ ହେବା କଥା ଶୁଣି ଦେବୀ ତୁଳସୀ ଭୟଭୀତ ହୋଇ ନିଜର ଭୁଲ୍ ବୁଝିପାରିଥିଲେ ଏବଂ ଗଣପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ।

ମୋକ୍ଷଦାୟିନୀ ତୁଳସୀଙ୍କୁ ବରଦାନ

ତୁଳସୀଙ୍କ ଅନୁତାପ ଦେଖି ଭଗବାନ ଗଣେଶଙ୍କ କ୍ରୋଧ ଶାନ୍ତ ପଡିଥିଲା । ସେ ଆଶୀର୍ବାଦ ଦେଇ କହିଥିଲେ ଯେ, କଳିଯୁଗରେ ତୁଳସୀ ସବୁଠାରୁ ପବିତ୍ର ଉଦ୍ଭିଦ ଭାବରେ ପୂଜା ପାଇବେ ଏବଂ ଲୋକଙ୍କୁ ଜୀବନ ସହ ମୋକ୍ଷ ମଧ୍ୟ ପ୍ରଦାନ କରିବେ। ସେ ସ୍ୱୟଂ ଭଗବାନ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ସବୁଠାରୁ ପ୍ରିୟ ଆସନ ଗ୍ରହଣ କରିବେ। କିନ୍ତୁ ନିଜର ଅଭିଶାପ ଯୋଗୁଁ ଗଣେଶଙ୍କ ପୂଜାରେ ତୁଳସୀଙ୍କ ବ୍ୟବହାର ସବୁଦିନ ପାଇଁ ଅଶୁଭ ଓ ନିଷିଦ୍ଧ ହୋଇ ରହିବ ।

ଏହି ଆଧ୍ୟାତ୍ମିକ କାରଣରୁ ଆଜି ବି ଗଣେଶ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରାଯାଏ ନାହିଁ । ତେଣୁ ଆଗାମୀ ଗଣେଶ ପୂଜାରେ ବାପ୍ପାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ଥାଳିରେ ତୁଳସୀ ବଦଳରେ କେବଳ ଦୁବ ଏବଂ ମୋଦକ ସାମିଲ କରିବାକୁ ନିଶ୍ଚିତ କରନ୍ତୁ ।

Leave A Reply

Your email address will not be published.