ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳ ଏବଂ ଏହାର ଆଖପାଖ ସମୁଦ୍ର ପଥରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ବିପଦ ଲଗାତାର ଭାବେ ବୃଦ୍ଧି ପାଉଛି। ରବିବାର ଦିନ ଓମାନ ଉପକୂଳ ନିକଟରେ ‘ଏମଟି ଏଲ୍-ଗାଇଆ’ ନାମକ ଏକ ବାଣିଜ୍ୟିକ ଜାହାଜ ଉପରେ ହଠାତ୍ ଆକ୍ରମଣ ହୋଇଛି। ଏହି ଜାହାଜରେ ୧୪ ଜଣ ଭାରତୀୟ ନାବିକ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ଭାରତୀୟ ନାବିକ ନିଖୋଜ ଅଛନ୍ତି । ନିଖୋଜ ନାବିକଙ୍କୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି ।
ଏହି ଘଟଣାକୁ ଭାରତ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିବା ସହ ସ୍ପଷ୍ଟ କରିଛି ଯେ ବାଣିଜ୍ୟିକ ଜାହାଜ ତଥା ସାଧାରଣ ନାବିକମାନଙ୍କୁ ଏଭଳି ଭାବେ ଟାର୍ଗେଟ୍ କରିବା କଦାପି ଗ୍ରହଣୀୟ ନୁହେଁ । ଓମାନରେ ଥିବା ଭାରତୀୟ ଦୂତାବାସ ପୂରା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ସେଠାକାର ସରକାରୀ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି । ସଙ୍କଟ ସମୟରେ ଭାରତୀୟ ନାବିକମାନଙ୍କୁ ଉଦ୍ଧାର କରିବାରେ ଓମାନ ପ୍ରଶାସନ ଯେଉଁ ସକ୍ରିୟ ସହଯୋଗ କରିଛି, ସେଥିପାଇଁ ଭାରତ ସରକାର କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ଏହି ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ରହିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଭାରତ ଆହ୍ୱାନ ଦେଇଛି ଯେ, ତୁରନ୍ତ ଏହି ଉତ୍ତେଜନା ହ୍ରାସ କରାଯିବା ଉଚିତ ଏବଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ହେବା ଦରକାର। ଅନ୍ତର୍ଜାତୀୟ ଜଳପଥ ଦେଇ ବାଣିଜ୍ୟିକ ସାମଗ୍ରୀର ଅବାଧ ତଥା ସୁରକ୍ଷିତ ଚଳାଚଳ ଉପରେ ମନ୍ତ୍ରଣାଳୟ ବିଶେଷ ଗୁରୁତ୍ୱାରୋପ କରିଛି ।
ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ବିଶ୍ୱର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ରାସ୍ତା ହର୍ମୁଜ୍ ପ୍ରଣାଳୀ ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ଜାହାଜ ଉପରେ ଆକ୍ରମଣ ହୋଇଛି। ଗତ ଶୁକ୍ରବାର ଦିନ ସାଉଦି ଆରବର ଏକ ପ୍ରମୁଖ ତୈଳ ପାଇପଲାଇନ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯାହା ପାଇଁ ୟେମେନର ହୁଥି ବିଦ୍ରୋହୀମାନେ ନିଜକୁ ଦାୟୀ କରିଥିଲେ। ଏହାସହ ଏକ ଇରାନୀୟ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। ଏହି ଘଟଣାକ୍ରମ ଗ୍ଲୋବାଲ ଏନର୍ଜି ସପ୍ଲାଇ ବା ବିଶ୍ୱ ତୈଳ ଯୋଗାଣକୁ ନେଇ ଚିନ୍ତା ବଢ଼ାଇଦେଇଛି। ଏହି ପରିପ୍ରେକ୍ଷୀରେ ସାମୁଦ୍ରିକ ସୁରକ୍ଷା ଓ ଜାହାଜ ଚଳାଚଳ ନେଇ ଆଲୋଚନା କରିବା ପାଇଁ ଇରାନ ଏବଂ ଗଲ୍ଫ ରାଷ୍ଟ୍ରମାନଙ୍କ ମଧ୍ୟରେ ଓମାନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ମିଳିଛି।

