Latest Odisha News

BREAKING NEWS

ଭାରତୀୟ କ୍ରିକେଟ ପାଇଁ ଗର୍ବର ମୁହୂର୍ତ୍ତ; ପ୍ରଶଂସା କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ମହିଳା ଟି-୨୦ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ବିଜୟକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିବା ସହ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବାରୁ ଦଳର ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ।

“ମହିଳା ଟି-୨୦ ଏସିଆ କପ୍ ଚାମ୍ପିଅନସିପ୍ ୨୦୨୬ ଜିତିଥିବାରୁ ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସେମାନେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଏକ ଦଳ ଭାବରେ ଚମତ୍କାର ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍ ଜିତିଛନ୍ତି। ସେମାନେ ଦେଶ ପାଇଁ ଗର୍ବ ଆଣିଛନ୍ତି। ସେମାନେ ଆମର ଯୁବପିଢ଼ି, ବିଶେଷକରି ଆମ ଝିଅମାନଙ୍କ ପାଇଁ ପ୍ରେରଣାର ଏକ ବଡ଼ ଉତ୍ସ। ମୋର ବିଶ୍ୱାସ ଯେ ସେମାନେ ସଫଳତା ଏବଂ ଉତ୍କର୍ଷର ଆହୁରି ଅନେକ ପ୍ରେରଣାଦାୟକ ଅଧ୍ୟାୟ ସୃଷ୍ଟି କରିବେ”। କିଛି ଏଭଳି ରାଷ୍ଟ୍ରପତିଙ୍କ ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟିମକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଲେଖିଛନ୍ତି ଯେ “ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ! ଏସିଆ କପ୍ ଜିତିଥିବାରୁ ମହିଳା ଦଳକୁ ଅଭିନନ୍ଦନ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ଆତ୍ମବିଶ୍ୱାସ, ନିରନ୍ତର ପ୍ରଦର୍ଶନ ଏବଂ ଉଲ୍ଲେଖନୀୟ ମନୋଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ଏହି ବିଜୟ ସାରା ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଅଧିକ ଖେଳିବାକୁ ଏବଂ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଉ।

ଉଲ୍ଲେଖଯୋଗ୍ୟ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ, ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ୭୨ ରନ୍‌ରେ ପରାସ୍ତ କରି ନିଜର ଅଷ୍ଟମ ମହିଳା ଏସିଆ କପ୍ ଟାଇଟଲ୍ ହାସଲ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜେୟ ରହିଥିଲା। ସେହିପରି ଓପନର୍ ସ୍ମୃତି ମନ୍ଧାନା ଏବଂ ଶେଫାଳି ବର୍ମା ଭାରତର ବ୍ୟାଟିଂ ଆରମ୍ଭ କରିଥିଲେ। ଯେଉଁମାନେ ପ୍ରଥମ ୱିକେଟ୍ ପାଇଁ ୧୨୯ ରନ୍‌ର ଭାଗୀଦାରୀ ସ୍ଥାପନ କରିଥିଲେ। ସେମାନଙ୍କ ପ୍ରୟାସ ଯୋଗୁଁ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିପାରିଥିଲା।

 

Leave A Reply

Your email address will not be published.