Latest Odisha News

BREAKING NEWS

ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି

କଟକ: ଜନସ୍ୱାର୍ଥ ମାମଲା ବା ପବ୍ଲିକ୍ ଇଣ୍ଟରେଷ୍ଟ୍ ଲିଟିଗେସନ ଅପବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ ଶତ୍ରୁତା ମେଣ୍ଟାଇବା ଉଦ୍ଦେଶ୍ୟରେ ହାଇକୋର୍ଟରେ ଏକ ମିଥ୍ୟା ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ଜଣେ ଆବେଦନକାରୀଙ୍କୁ ନ୍ୟାୟାଳୟ କଡ଼ା ଭର୍ତ୍ସନା କରିବା ସହ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ ଅଞ୍ଚଳରେ ଏକ ଘରୋଇ ଜମି ଉପରେ ସରକାରୀ ‘କଲ୍ୟାଣ ମଣ୍ଡପ’ ନିର୍ମାଣ କରାଯାଉଥିଲା । ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ବିଶ୍ୱନାଥ ବେହେରା ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ମାତ୍ର ମାମଲାର ଶୁଣାଣି ବେଳେ ଜଣାପଡ଼ିଥିଲା ଯେ, ଆବେଦନକାରୀ ବିଶ୍ୱନାଥ ଉକ୍ତ ଜମିର ମାଲିକ ନୁହନ୍ତି କିମ୍ବା ସେହି ଜମି ସହ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରକୃତ ଜମି ମାଲିକଙ୍କର ଏହି ନିର୍ମାଣ କାର୍ଯ୍ୟକୁ ନେଇ କୌଣସି ଆପତ୍ତି ନଥିଲା ଏବଂ ସେ ନିର୍ମାଣ ପାଇଁ ‘ଅନାପତ୍ତି ପ୍ରମାଣପତ୍ର’ ମଧ୍ୟ ପ୍ରଦାନ କରିଥିଲେ ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହାକୁ ପିଆଇଏଲ୍‌ର ଏକ ‘କ୍ଲାସିକ୍ ଉଦାହରଣ’ ବୋଲି ବର୍ଣ୍ଣନା କରିଛନ୍ତି । ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନର ଧାରା ୩୦୦-ଏ ଅନୁଯାୟୀ ସମ୍ପତ୍ତିର ଅଧିକାର ଏକ ସାମ୍ବିଧାନିକ ଅଧିକାର। ଜଣେ ଜମି ମାଲିକ ନିଜ ସମ୍ପତ୍ତିର ସୁରକ୍ଷା ଓ ବ୍ୟବହାର କରିବାର ସମ୍ପୂର୍ଣ୍ଣ ଅଧିକାର ରଖିଛନ୍ତି । ଯଦି ପ୍ରକୃତ ମାଲିକଙ୍କର କୌଣସି ଆପତ୍ତି ନାହିଁ, ତେବେ ଜଣେ ତୃତୀୟ ବ୍ୟକ୍ତି ଯାହାର ସେହି ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ, ସେ ଜନସ୍ୱାର୍ଥ ମାମଲାର ଆଳ ଦେଖାଇ ନିର୍ମାଣ କାର୍ଯ୍ୟକୁ ଅଟକାଇ ପାରିବେ ନାହିଁ ।

ବ୍ୟକ୍ତିଗତ ସ୍ୱାର୍ଥ ସାଧନ ତଥା ଶତ୍ରୁତା ମେଣ୍ଟାଇବା ପାଇଁ ନ୍ୟାୟାଳୟର ସମୟ ନଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ।

ଏହି ଆଧାରରେ ହାଇକୋର୍ଟ ଆବେଦନକାରୀଙ୍କ ପିଆଇଏଲ୍‌କୁ ଖାରଜ କରିବା ସହ ତାଙ୍କ ଉପରେ ୫୦ ହଜାର ଟଙ୍କାର ଅର୍ଥଦଣ୍ଡ ଲାଗୁ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଅର୍ଥରାଶି ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଦାୟ ହୋଇଥିବା ଏହି ଅର୍ଥକୁ ରାଜ୍ୟର ବିଭିନ୍ନ ବାଳାଶ୍ରମରେ ରହୁଥିବା କିଶୋର ଓ ଶିଶୁମାନଙ୍କ କଲ୍ୟାଣ ତଥା ଉନ୍ନତିମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.