ନୂଆଦିଲ୍ଲୀ: ଆଜି ହିନ୍ଦୀ ଦିବସ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇନ୍ତି। ସେ କହିଛନ୍ତି, ଭାରତ ଭାଷାଗତ ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧିର ଏକ ଅନନ୍ୟ ଭୂମି। ଲୋକମାନେ ପ୍ରାୟତଃ ଆମର ଭାଷାଗୁଡ଼ିକର ବିବିଧତା ବିଷୟରେ କଥାବାର୍ତ୍ତା କରନ୍ତି ଏବଂ କେତେକ ସମୟରେ ଏହାକୁ ଏକ ତ୍ରୁଟି ଭାବରେ ଦେଖନ୍ତି; କିନ୍ତୁ ମୁଁ ବିଶ୍ୱାସ କରେ ଯେ ଏତେ ଭାଷା ରହିବା ପ୍ରକୃତରେ ଆମର ସବୁଠାରୁ ବଡ଼ ଶକ୍ତି।
ସେ କହିଥିଲେ ଯେ ପ୍ରତ୍ୟେକ ଭାଷା ନିଜ ସହିତ ଏକ ଇତିହାସ, ଲୋକ ପରମ୍ପରା ଏବଂ ବିଶ୍ୱ ପ୍ରତି ଏକ ଅନନ୍ୟ ଦୃଷ୍ଟିକୋଣ ଆଣିଥାଏ, ଯାହା ସବୁ ଆମର ଯୁବ ପିଢ଼ିର ମୂଲ୍ୟବୋଧକୁ ଗଢ଼ିବାରେ ସାହାଯ୍ୟ କରେ। ଏହି ଭାଷାଗତ ବିବିଧତା ଭାରତରେ ‘ବିବିଧତାରେ ଏକତା’ର ଆତ୍ମାକୁ ଆହୁରି ମଜବୁତ କରେ। ଦେଶରେ କଥିତ ବିଭିନ୍ନ ଭାଷା ଦୁର୍ବଳତାର ସଙ୍କେତ ନୁହେଁ, ବରଂ ଭାରତର ସବୁଠାରୁ ବଡ଼ ଶକ୍ତି । ଅନ୍ୟ ଭାରତୀୟ ଭାଷା ସହ ପ୍ରତିଦ୍ଵନ୍ଦିତା କରିବା ହିନ୍ଦୀର ଉଦ୍ଦେଶ୍ୟ ନୁହେଁ । ବିଭିନ୍ନ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ । ନିଜ ଭାଷାରେ କଥା ହେବାବେଳେ ହୀନ ମନେ କର ନାହିଁ ।
ଶାହ କହିଥିଲେ, “ମୁଁ ଯୁବପିଢ଼ିଙ୍କୁ କହିବାକୁ ଚାହୁଁଛି, ଯଥାସମ୍ଭବ ବିଶ୍ୱର ଭାଷା ଶିଖନ୍ତୁ, କିନ୍ତୁ ନିଜ ଭାଷାକୁ ପରିତ୍ୟାଗ କରନ୍ତୁ ନାହିଁ। ମୁଁ ସାରା ଦେଶର ସମସ୍ତ ପିତାମାତାଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ ସେମାନେ ସେମାନଙ୍କ ପିଲାମାନଙ୍କ ସହିତ ସେମାନଙ୍କ ମାତୃଭାଷାରେ କଥା ହୁଅନ୍ତୁ। ନିଜ ଭାଷା କହିବା ଯୋଗୁଁ ନିଜକୁ ହୀନ ମନେ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ। ଭାଷା ଆମକୁ ଆମ ମାତା, ଆମ ମାଟି, ଆମର ଇତିହାସ ଏବଂ ଆମ ସଂସ୍କୃତି ସହିତ ଯୋଡେ। ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ; ଏହା ଯେକୌଣସି ସମାଜର ସ୍ମୃତି, ଏହାର ଆତ୍ମ-ସଚେତନତା।”
ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୯୪୯ ସେପ୍ଟେମ୍ଵର ୧୪ରେ ସମ୍ବିଧାନ ସଭାରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା । ମୋର ମାତୃଭାଷା ଗୁଜରାଟୀ , ହେଲେ ମୁଁ ଅଲଗା ରାଜ୍ୟକୁ ଗଲେ ଲୋକମାନଙ୍କ ସହ ହିନ୍ଦୀରେ କଥା ହୁଏ । ସ୍ୱାଧୀନତା ପରେ, ଭାରତୀୟ ଭାଷାଗୁଡ଼ିକ ରାଷ୍ଟ୍ର ନିର୍ମାଣ, ପ୍ରଶାସନ ଏବଂ ବିକାଶକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବା କେବଳ ଭାଷାର ବିଷୟ ନୁହେଁ, ବରଂ ଏହା ଦେଶର ସଂସ୍କୃତି, ଇତିହାସ ଏବଂ ସ୍ୱାଭିମାନ ସହିତ ଜଡିତ ଏକ ପ୍ରସଙ୍ଗ ।
ଅମିତ ଶାହ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ତାଙ୍କ ମାତୃଭାଷା ଗୁଜରାଟୀ ଥିଲା । ହେଲେ ସେ ତାଙ୍କ ପ୍ରସିଦ୍ଧ ପୁସ୍ତକ ସତ୍ୟାର୍ଥ ପ୍ରକାଶ ହିନ୍ଦୀରେ ଲେଖିଥିଲେ । ସେହିପରି ମହାତ୍ମା ଗାନ୍ଧୀ ୧୯୧୮ରେ ମାଡ୍ରାସରେ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା ସ୍ଥାପନ କରିଥିଲେ । ଦକ୍ଷିଣ ଭାରତରେ ହିନ୍ଦୀର ପ୍ରଚାର-ପ୍ରସାର ଏହାର ଉଦ୍ଦେଶ୍ୟ ଥିଲା । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜରେ ହିନ୍ଦୀ ଭାଷା ପ୍ରୟୋଗ କରିଥିଲେ । ଜୟ ହିନ୍ଦ ର ନାରା ଦେଇଥିଲେ।

