Latest Odisha News

BREAKING NEWS

ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଋଷ ଠାରୁ ତେଲ ଏବଂ ଗ୍ୟାସ୍ କିଣୁଥିବା ଭାରତ ଓ ଚୀନ୍ ସମେତ ୫ଟି ପ୍ରମୁଖ ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ବା ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକା ପ୍ରସ୍ତୁତି ଚଳାଇଛି । ଆମେରିକା କଂଗ୍ରେସର ନିମ୍ନ ସଦନ ବା ପ୍ରତିନିଧି ସଭାରେ ଏ ସମ୍ପର୍କିତ ଏକ କଠୋର କଟକଣା ବିଲ୍ ଆଗତ ହୋଇଛି । ଏହି ବିଲ୍ କେବଳ ଋଷିଆକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶେଷ କ୍ଷମତା ପ୍ରଦାନ କରିବ ।

ଏହି ପ୍ରସ୍ତାବିତ ବିଲ୍‌ର ନାମ ‘ଦି ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ୍ ଇରାନ୍ ଆକ୍ଟ ୨୦୨୬’ ରଖାଯାଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପ୍ରତିନିଧି ସଭାରେ ଏହି ବିଲ୍ ଉପରେ ପ୍ରାଥମିକ ଭୋଟଗ୍ରହଣ ହୋଇଥିଲା । ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ନେତୃତ୍ୱକୁ ଚକିତ କରି ଦଳର ୨ ଜଣ ସାଂସଦ ଦଳୀୟ ହ୍ୱିପ୍ ଅମାନ୍ୟ କରି ରିପବ୍ଲିକାନ୍ ସଦସ୍ୟଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଫଳରେ ୨୧୪-୨୧୧ ଭୋଟ୍ ବ୍ୟବଧାନରେ ଏହି ବିଲ୍ ପ୍ରଥମ ବାଧା ଅତିକ୍ରମ କରିବାରେ ସଫଳ ହୋଇଛି । ସେପ୍ଟେମ୍ବର ୧୬ ତାରିଖରେ ଏହି ବିଲ୍ ଉପରେ ଚୂଡ଼ାନ୍ତ ଭୋଟଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି ।

ଆମେରିକାର ଏହି ବିଲ୍‌ର ମୂଳ ଉଦ୍ଦେଶ୍ୟ ହେଉଛି, ୟୁକ୍ରେନ୍ ଯୁଦ୍ଧ ଜାରି ରଖିବା ପାଇଁ ଋଷିଆ ଯେପରି ଅନ୍ୟ ଦେଶକୁ ତେଲ ବିକ୍ରି କରି ରାଜସ୍ୱ ଆଦାୟ ନକରିପାରେ ତାହା ଉପରେ ଦୃଢ଼ ରୋକ୍ ଲଗାଇବା । ଏଥିସହ ଇରାନ ଉପରେ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ, ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣୁଥିବା ରାଷ୍ଟ୍ରଙ୍କ ଉପରେ ସର୍ବାଧିକ ୧୦୦% ଟାରିଫ୍ ଲାଗୁ କରିବାର କ୍ଷମତା ପାଇବେ । ତେବେ ଟ୍ରମ୍ପ ଚାହିଁଲେ ଏହି ଟାରିଫ୍ ହାରକୁ ନିଜ ବିବେକ ଅନୁଯାୟୀ କମାଇପାରିବେ କିମ୍ବା ସମ୍ପୂର୍ଣ୍ଣ ପ୍ରତ୍ୟାହାର ମଧ୍ୟ କରିପାରିବେ ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ୧୮୦ ଦିନରେ ଏହି ଟାରିଫ୍ ନିୟମର ସମୀକ୍ଷା କରାଯିବାର ବ୍ୟବସ୍ଥା ବିଲ୍‌ରେ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ପାଶ୍ଚାତ୍ୟ ଦେଶଗୁଡ଼ିକର ବିଭିନ୍ନ କଟକଣା ଓ ଚାପକୁ ଖାତିର ନକରି ନିଜର ଶକ୍ତି ନିରାପତ୍ତା ସ୍ୱାର୍ଥକୁ ଆଖି ଆଗରେ ରଖି ଋଷ ଠାରୁ ରିହାତି ମୂଲ୍ୟରେ ବିପୁଳ ପରିମାଣର ଅଶୋଧିତ ତୈଳ ଆମଦାନୀ କରୁଛି ।

ଭାରତ ବାରମ୍ବାର ବିଶ୍ୱ ଦରବାରରେ ସ୍ପଷ୍ଟ କରିଆସିଛି ଯେ ନିଜ ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ତୈଳ ଯୋଗାଇବା ତାହାର ପ୍ରଥମ ପ୍ରାଥମିକତା । ତଥାପି ଯଦି ଆମେରିକାର ଏହି ନୂଆ କଟକଣା ବିଲ୍ ପାସ୍ ହୁଏ, ତେବେ ଏହା ଭାରତୀୟ ବଜାର ଉପରେ ଆର୍ଥିକ ବୋଝ ପକାଇବା ସହ ନୂଆଦିଲ୍ଲୀ ଏବଂ ୱାଶିଂଟନ୍ ମଧ୍ୟରେ ଥିବା ବାଣିଜ୍ୟିକ ତଥା କୂଟନୈତିକ ସମ୍ପର୍କ ଉପରେ ବିଶେଷ ପ୍ରଭାବ ପକାଇବାର ଆଶଙ୍କା ରହିଛି ।

Leave A Reply

Your email address will not be published.