ନନ୍ଦପୁର:ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ସମ୍ପର୍କୀୟମାନଙ୍କୁ ଗାଁ ପାଖ ଦେଇ ଯାଇଥିବା ବାସୁକି ନଦୀକୁ ବିପଦପୂର୍ଣ୍ଣ ଭାବେ ପାର ହୋଇ ଶବ ସତ୍କାର କରିବାକୁ ଯିବାକୁ ପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁରେ । ଏହି ଦୁଇ ଦିନ ଭିତରେ ଦ୍ଵିତୀୟ ଘଟଣା ଏହା। ଏହି ଘଟଣା କେବଳ ଆଜିର ନୁହେଁ ପ୍ରତ୍ୟେକ ବର୍ଷ ବର୍ଷା ଦିନେ ଏହି ଗ୍ରାମ କେହି ଯଦି ପ୍ରାଣ ହରାନ୍ତି , ତେବେ ଏହି ସମସ୍ୟା ଦେଖାଦେଇ ଥାଏ।
ଦେବଷଣ୍ଢଗୁଡା ଗାଁର ପାତେ ଖରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିଲା। ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ଲୋକେ ଲୋକେ ଏକ ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀ ଭିତରେ ପଶି ଶବକୁ କାନ୍ଧେଇ ନଦୀ ଆର ପଟେ ପାର ହୋଇ ଶବ ସତ୍କାର କରିଥିଲେ ।
ସୂଚନାଥାଉକି,ଏହି ଅଞ୍ଚଳରେ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିଲା ଏଣୁ ନଦୀ ରେ ଉଛୁଳା ପାଣି ସହିତ ପ୍ରଖର ସ୍ରୋତ ଥିଲା।ଏଣୁ ନିଜ ସମ୍ପର୍କୀୟ ଓ ଗାଁ ଲୋକେ ଏକ ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀ ଭିତରେ ପଶି ଶବକୁ କାନ୍ଧେଇ ନଦୀ ଆର ପଟେ ପାର ହୋଇ ଶବ ସତ୍କାର କରିଥିଲେ ।
ଗ୍ରାମବାସୀ ଏହି ନଦୀ ରେ ଏକ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବର୍ଷା ଦିନ ଆସିଲେ ଏହି ବାସୁକି ନଦୀ ପାଇଁ ଆଖପାଖ ଅଞ୍ଚଳ ବିଚ୍ଛିନ୍ନ ହୋଇ ଯାଇଥାଏ ।

