ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭୬ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଏହି ନେତାମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ତାଙ୍କର ଯୁଗାନ୍ତକାରୀ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ଅତୁଟ ସ୍ନେହ ଆମକୁ ଏକ ସଶକ୍ତ, ଆତ୍ମନିର୍ଭର ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ଯୋଗାଉଛି। ତାଙ୍କର ଏହି କର୍ମଯୋଗୀ ଜୀବନ ଆମକୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ।

