Latest Odisha News

BJP MLA Turns Beggar: ୫ ହଜାର କୋଟିର ସମ୍ପତ୍ତି! ହାତରେ ଭିକ୍ଷା ଥାଳି; ଭିକାରୀ ସାଜିଲେ ବିଧାୟକ…

ମୁମ୍ବାଇ: ଦାମୀ କାର୍, ଚାରିପଟେ ସୁରକ୍ଷାକର୍ମୀ, ବଡ଼ ଘର ଓ କୋଟି କୋଟି ଟଙ୍କାର ସମ୍ପତ୍ତି। ଏସବୁ ହେଉଛି ମହାରାଷ୍ଟ୍ରର ବିଜେପି ବିଧାୟକ ପରାଗ ଶାହଙ୍କ ଜୀବନର ଏକ ପରିଚିତ ଚିତ୍ର। କିନ୍ତୁ ହଠାତ୍ ଏହି ସବୁ ପରିଚୟକୁ ପଛରେ ଛାଡ଼ି ସେ ପାଲଟିଗଲେ ଜଣେ ସାଧାରଣ ଭିକାରୀ। ହାତରେ ଭିକ୍ଷା ଥାଳି ଧରି ମୁମ୍ବାଇ ରାସ୍ତାରେ ବୁଲିଲେ, ଲୋକଙ୍କଠାରୁ ଖରାପ ବ୍ୟବହାର ବି ପାଇଲେ । ହେଲେ କାହିଁକି? ଏମିତି କ’ଣ ହେଲା ଯେ, ନିଜର ବିଳାସପୂର୍ଣ୍ଣ ଜୀବନ ଛାଡି, ସାଧାରଣ ଭିକାରୀ ହେବାକୁ ପସନ୍ଦ କଲେ ବିଧାୟକ?

ତେବେ ଏହା କୌଣସି ରାଜନୈତିକ ଷ୍ଟଣ୍ଟ ନଥିଲା, ବରଂ ଜୀବନକୁ ନୂଆ ଭାବେ ବୁଝିବାର ଏକ ଅନୁଭବ। ଜୈନ ଆଧ୍ୟାତ୍ମିକ ଗୁରୁ ନମ୍ରମୁନି ମହାରାଜଙ୍କ ପରାମର୍ଶରେ ବିଧାୟକ ପରାଗ ଶାହ ଏହି ଅଭିଜ୍ଞତା ନେଇଥିବା କହିଛନ୍ତି। ଚତୁର୍ମାସ ଅବସରରେ ଗୁରୁ ତାଙ୍କୁ ଗୋଟିଏ ଦିନ ପାଇଁ ଭିକାରୀଙ୍କ ଜୀବନ ବିତାଇବାକୁ କହିଥିଲେ। ଗୁରୁଙ୍କ ନିର୍ଦ୍ଦେଶ ମାନି ଶାହ ନିଜ ସୁରକ୍ଷାକର୍ମୀ, କାର୍ ଓ ଦାମୀ ସାମଗ୍ରୀଠାରୁ ଦୂରେଇ ଯାଇ ଗୋଟିଏ ଦିନକ ପାଇଁ ନିଶ୍ବ ହୋଇଯାଇଥିଲେ । ମୁହଁରେ ମେକଅପ୍, ଶରୀରରେ ସାଧାରଣ ପୋଷାକ ଓ ହାତରେ ଭିକ୍ଷା ଥାଳି ଏବଂ ବାଡି ଧରି ବିଧାୟକ ଏପରି ରୂପ ଧାରଣ କଲେ ଯେ, ନିଜ ଲୋକମାନେ ମଧ୍ୟ ତାଙ୍କୁ ଚିହ୍ନିପାରିବେନି। ଘାଟକୋପର ରେଲୱେ ଷ୍ଟେସନ୍ ଆଖପାଖରେ ସେ ଲୋକଙ୍କୁ ଭିକ୍ଷା ମାଗିଲେ, ରାସ୍ତାକଡ଼ରେ ବସିଲେ ଏବଂ ଯାହା ମିଳିଲା ତାହା ଖାଇଲେ।

ଏହି ଅନୁଭବର ସବୁଠାରୁ ରୋଚକ ଘଟଣା ଥିଲା ନିଜ ଘର ପରିସରରେ। ଯେତେବେଳେ ବିଧାୟକ ଭିକାରୀ ବେଶରେ ନିଜ କମ୍ପ୍ଲେକ୍ସକୁ ଯାଇଥିଲେ ସେତେବେଳେ ତାଙ୍କ ନିଜ ୱାଚମ୍ୟାନ୍ ତାଙ୍କୁ ଚିହ୍ନିପାରିନଥିଲେ ଏବଂ ଗେଟ୍ ବାହାରକୁ ପଠାଇ ଦେଇଥିଲେ। ଏମିତିକି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ତାଙ୍କୁ ଚିହ୍ନିପାରିନଥିଲେ। ଅନେକ ଲୋକ ତାଙ୍କୁ ତୁଚ୍ଛ ମନେକରି ଘଉଡାଇ ମଧ୍ୟ ଦେଇଥିଲେ ।

ପରାଗ ଶାହଙ୍କ କହିବା ଅନୁସାରେ, ତାଙ୍କ ଗୁରୁ ତାଙ୍କୁ କହିଥିଲେ ଯେ, ଲୋକେ ଆପଣଙ୍କୁ ସବୁବେଳେ ଆପଣଙ୍କ ବ୍ୟକ୍ତିତ୍ୱ ପାଇଁ ସମ୍ମାନ ଦିଅନ୍ତି ନାହିଁ; ଆପଣଙ୍କ ପାଖରେ ଥିବା ପଦ, ପ୍ରତିଷ୍ଠା ଓ ସମ୍ପତ୍ତି ପାଇଁ ମଧ୍ୟ ଆପଣଙ୍କୁ ସମ୍ମାନ ମିଳିପାରେ। ତେଣୁ ଏସବୁ ଛାଡ଼ି ସାଧାରଣ ଲୋକଙ୍କ ଭଳି ବାହାରକୁ ଯାଇ ଅନୁଭବ କରିବାକୁ ଗୁରୁ ତାଙ୍କୁ ପରାମର୍ଶ ଦେଇଥିଲେ। ଆଉ ବାସ୍ତବରେ ତାଙ୍କ ବେଶ ବଦଳାଇ ସେ ଗ୍ରହଣ କରିଥିବା ଏହି ଅନୁଭବ ତାଙ୍କୁ ଧନ, ପଦ ଓ ପ୍ରତିଷ୍ଠାଠାରୁ ଅଧିକ ମାନବିକତାର ମୂଲ୍ୟ ବୁଝାଇଛି।

ତେବେ ସବୁ ଅନୁଭବ ଖରାପ ନଥିଲା। କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । କିଛି ଯୁବକ ତାଙ୍କୁ ୨୦ ଟଙ୍କା ଦେଇଥିଲେ। ଜଣେ ସିଙ୍ଗଡା ବିକ୍ରେତା ଟଙ୍କା ନଥିବା ଜାଣି ମାଗଣାରେ ତାଙ୍କୁ ସିଙ୍ଗଡା ଖାଇବାକୁ ଦେଇଥିଲେ। ଆଉ ଏହି ପ୍ରାୟ ୩ ଘଣ୍ଔା ସମୟ ବିତାଇବା ପରେ ମେକଅପ୍ ହଟାଇ ବିଧାୟକ ପୁଣି ସେହି ସ୍ଥାନଗୁଡ଼ିକୁ ଯାଇ ଲୋକଙ୍କ ସହ କଥା ହୋଇଥିଲେ। ଆଉ ବୁଝିଥିଲେ ଯେ ଧନ, ପଦ ଓ ପ୍ରତିଷ୍ଠାଠାରୁ ମାନବିକତା ସବୁଠୁ ଉପରେ । ଗରିବ ଲୋକଙ୍କ ଜୀବନର ସଂଘର୍ଷକୁ ନିକଟରୁ ଅନୁଭବ କରିବା ଏବଂ ଜୀବନର ବାସ୍ତବତାକୁ ବୁଝିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।

ତେବେ ପରାଗ ଶାହ ମହାରାଷ୍ଟ୍ରର ଘାଟକୋପର ପୂର୍ବ ଆସନର ବିଜେପି ବିଧାୟକ। ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସତ୍ୟପାଠରେ ସେ ୩,୩୮୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ତାଙ୍କ ସମ୍ପତ୍ତିକୁ ନେଇ ବିଭିନ୍ନ ରିପୋର୍ଟରେ ପ୍ରାୟ ୫,୦୦୦ କୋଟି ଟଙ୍କାର ଆକଳନ ମଧ୍ୟ ଦିଆଯାଇଛି। ଗତ ବର୍ଷ ସେ ଜଣେ ଅଟୋ ଚାଳକଙ୍କୁ ଚାପୁଡ଼ ମାରିବା ଅଭିଯୋଗକୁ ନେଇ ବିବାଦରେ ଆସିଥିଲେ। ଆଉ ଏବେ ଏତେ ବଡ଼ ସମ୍ପତ୍ତିର ମାଲିକ ହୋଇ ଗୋଟିଏ ଦିନ ଭିକାରୀଙ୍କ ଜୀବନ ବଞ୍ଚିବା, ତାଙ୍କୁ ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁକୁ ନେଇଆସିଛି ।

Leave A Reply

Your email address will not be published.