PM Modi Daily Diet: ୭୬ ବର୍ଷରେ ବି ଏତେ ଫିଟ୍ କେମିତି? ଜନ୍ମଦିନରେ ଜାଣନ୍ତୁ ସକାଳରୁ ରାତି ଯାଏଁ କ’ଣ ଖାଆନ୍ତି…କ’ଣ କରନ୍ତି PM ମୋଦି…
ନୂଆଦିଲ୍ଲୀ: ୭୬ ବର୍ଷ ବୟସରେ ବି ଲଗାତାର କାମ, ଦେଶ-ବିଦେଶ ଗସ୍ତ ଏବଂ ଘଣ୍ଟା ଘଣ୍ଟା ଧରି ବୈଠକ। ଏତେ ବ୍ୟସ୍ତ ରହିବା ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ନିଜକୁ ସକ୍ରିୟ ରଖନ୍ତି? ତାଙ୍କ ଦୈନନ୍ଦିନ ରୁଟିନ୍କୁ ନେଇ ଆସିଥିବା ରିପୋର୍ଟରେ ଏହାର କିଛି ଉତ୍ତର ମିଳିଛି।
ରିପୋର୍ଟ ଅନୁସାରେ, ମୋଦି ପ୍ରାୟତଃ ସକାଳ ୪ରୁ ୫ଟା ମଧ୍ୟରେ ଦିନ ଆରମ୍ଭ କରନ୍ତି। ତାଙ୍କ ଦିନର କାମ ପ୍ରାୟ ୧୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ବୋଲି ରିପୋର୍ଟରେ କୁହାଯାଇଛି। ତାଙ୍କ ଦୈନନ୍ଦିନ ଜୀବନରେ ନିୟମ ଓ ସମୟର ଗୁରୁତ୍ୱ ଅଧିକ ଥିବା କଥା ମଧ୍ୟ ଉଲ୍ଲେଖ ରହିଛି। ମୋଦିଙ୍କ ସକାଳର ରୁଟିନ୍ରେ ଯୋଗ, ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ଏବଂ ଧ୍ୟାନ ଭଳି ଅଭ୍ୟାସ ରହିଥାଏ ବୋଲି ରିପୋର୍ଟରେ କୁହାଯାଇଛି। ଏହା ସହ ସେ ପ୍ରକୃତି ସହ ଜଡ଼ିତ ରହିବାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ‘ପଞ୍ଚତତ୍ତ୍ୱ’ ଠାରୁ ପ୍ରେରଣା ନେଇ ତିଆରି ହୋଇଥିବା ଏକ ରାସ୍ତାରେ ମୋଦି ସକାଳେ ଖାଲି ପାଦରେ ଚାଲୁଥିବା ଭିଡିଓ ପୂର୍ବରୁ ସେୟାର କରିଛନ୍ତି। ଏଥିରେ ଘାସ, ମାଟି ଓ ଛୋଟ ପଥର ଉପରେ ଚାଲିବା ଭଳି ଅଭ୍ୟାସ ଦେଖାଯାଇଥିଲା।
ତାଙ୍କ ଖାଦ୍ୟ ମଧ୍ୟ ସରଳ ରହିଥାଏ ବୋଲି ରିପୋର୍ଟରେ କୁହାଯାଇଛି। ଖେଚୁଡ଼ି, ଚୁଡା, ଗୁଜରାଟୀ କଡି ଓ ଋତୁକାଳୀନ ପନିପରିବା ଭଳି ଶାକାହାରୀ ଖାଦ୍ୟ ତାଙ୍କ ପସନ୍ଦ ବୋଲି ଉଲ୍ଲେଖ ରହିଛି। ଅଧିକ ଭାରି କିମ୍ବା ବହୁତ ପ୍ରୋସେସ୍ଡ ଖାଦ୍ୟଠାରୁ ସେ ଦୂରେଇ ରହନ୍ତି ବୋଲି ମଧ୍ୟ ଦାବି କରାଯାଇଛି।
ନିଦ୍ରାକୁ ନେଇ ମଧ୍ୟ ତାଙ୍କ ରୁଟିନ୍ ଚର୍ଚ୍ଚାରେ ରହିଛି। ରିପୋର୍ଟରେ ସେ ପ୍ରାୟ ୪ରୁ ୫ ଘଣ୍ଟା ଶୋଉଥିବା ଦାବି କରାଯାଇଛି। ଶୋଇବା ପୂର୍ବରୁ କାମରୁ ମନକୁ ଦୂରେଇ ରଖିବା ଏବଂ ଧ୍ୟାନ ଭଳି ଅଭ୍ୟାସ ତାଙ୍କ ରୁଟିନ୍ର ଅଂଶ ବୋଲି ମଧ୍ୟ କୁହାଯାଇଛି।
ତେବେ ୭୬ ବର୍ଷ ବୟସରେ ମୋଦିଙ୍କ ସକ୍ରିୟ ରହିବା ପଛରେ ତାଙ୍କ ନିଜସ୍ୱ ଦୈନନ୍ଦିନ ଅଭ୍ୟାସ ଓ ନିୟମିତ ଜୀବନଶୈଳୀକୁ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ଯୋଗ, ଧ୍ୟାନ, ସରଳ ଖାଦ୍ୟ ଏବଂ ନିୟମିତ ରୁଟିନ୍, ଏହି ସବୁ ତାଙ୍କ ଦିନର ମୁଖ୍ୟ ଅଂଶ ବୋଲି ରିପୋର୍ଟରେ ଦର୍ଶାଯାଇଛି।

