ଛୁଟିଦିନରେ ବୁଲିବାକୁ ଯିବା ହେଉ କିମ୍ବା କୌଣସି ବିବାହ-ଉତ୍ସବରେ ଯୋଗଦେବା କଥା, ଅନେକ ସମୟରେ ଲୋକେ ଗୋଟିଏ ଗାଡ଼ିରେ କ୍ଷମତାଠାରୁ ଅଧିକ ଲୋକ ବସାଇ ଯାତ୍ରା କରନ୍ତି । ୫ ସିଟ୍ ବିଶିଷ୍ଟ କାରରେ ୬-୭ ଜଣ ଏବଂ ୭ ସିଟ୍ କାରରେ ୮-୯ ଜଣ ବସିବା ଏକ ସାଧାରଣ କଥା ପାଲଟିଛି। କିନ୍ତୁ ଆପଣ ଜାଣନ୍ତି କି ଏହା ମୋଟର ଯାନ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ? ଭାରତୀୟ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ ଓଭରଲୋଡିଂ ପାଇଁ ଆପଣଙ୍କୁ ବଡ଼ ଧରଣର ଜୋରିମାନା ଗଣିବାକୁ ପଡ଼ିପାରେ ।
ଭାରତୀୟ ମୋଟର ଯାନ ଆଇନର ଧାରା ୧୯୪(A) ଅନୁଯାୟୀ, ଯଦି କୌଣସି ଗାଡ଼ି ଚାଳକ ନିଜ ଆରସି ବୁକ୍ରେ ଦର୍ଶାଯାଇଥିବା ସିଟ୍ କ୍ଷମତାଠାରୁ ଅଧିକ ଯାତ୍ରୀ ବସାନ୍ତି, ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମ ଅନୁସାରେ, ପ୍ରତି ଅତିରିକ୍ତ ଯାତ୍ରୀଙ୍କ ପାଇଁ ୨,୦୦୦ ଟଙ୍କା ହିସାବରେ ଚାଲାଣ କଟାଯିବ। ଅର୍ଥାତ୍ ୫-ସିଟର୍ କାରରେ ଯଦି ୨ ଜଣ ଅଧିକ ଯାତ୍ରୀ ବସିଥାନ୍ତି, ତେବେ ସମୁଦାୟ ୪,୦୦୦ ଟଙ୍କାର ଫାଇନ୍ ଆଦାୟ ହେବ। କିଛି ଗୁରୁତର ମାମଲାରେ ଟ୍ରାଫିକ୍ ପୋଲିସ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ରଦ୍ଦ କରିପାରନ୍ତି କିମ୍ବା ଗାଡ଼ିକୁ ସିଜ୍ ମଧ୍ୟ କରିପାରନ୍ତି ।
ଅତିରିକ୍ତ ଯାତ୍ରୀ ବସାଇବାର ଅନ୍ୟ ଏକ ବିପଦ ହେଉଛି ସିଟ୍ ବେଲ୍ଟର ଅଭାବ। ନୂଆ ନିୟମ ଅନୁଯାୟୀ, କାରରେ ବସିଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ । ଯଦି କାରରେ ଥିବା କୌଣସି ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧି ନାହାନ୍ତି, ତେବେ ପ୍ରତି ବ୍ୟକ୍ତି ପିଛା ଆଉ ୧,୦୦୦ ଟଙ୍କାର ଚାଲାଣ କଟିବ। ଅର୍ଥାତ୍ ଏକ୍ସଟ୍ରା ପାସେଞ୍ଜର ଥିଲେ ଉଭୟ ଓଭରଲୋଡିଂ ଏବଂ ସିଟ୍ ବେଲ୍ଟ ନପିନ୍ଧିବା ପାଇଁ ଦୁଇଗୁଣା ଜୋରିମାନା ଦେବାକୁ ପଡ଼ିବ ।
ଓଭରଲୋଡିଂର ସବୁଠାରୁ ବଡ଼ କ୍ଷତି ଦୁର୍ଘଟଣା ସମୟରେ ଭୋଗିବାକୁ ପଡ଼େ। କାର୍ ବୀମା ପଲିସି ଅନୁଯାୟୀ, ଯଦି ଦୁର୍ଘଟଣା ସମୟରେ ଗାଡ଼ିରେ କ୍ଷମତାଠାରୁ ଅଧିକ ଲୋକ ଥାଆନ୍ତି, ତେବେ ଇନ୍ସୁରାନ୍ସ କମ୍ପାନୀ ଆପଣଙ୍କ କ୍ଲେମକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇପାରେ। ଏପରିକି ଥାର୍ଡ-ପାର୍ଟି କ୍ଲେମ୍ ମଧ୍ୟ ବିପଦରେ ପଡ଼ିଯାଏ । ଫଳରେ ମେଡିକାଲ ବିଲ୍ ଠାରୁ ଆରମ୍ଭ କରି ଗାଡ଼ି ମରାମତି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ନିଜ ପକେଟରୁ ହିଁ ଦେବାକୁ ପଡ଼ିଥାଏ ।
ଏହାବ୍ୟତୀତ, କାରରେ ଅଧିକ ଓଜନ ରହିଲେ ଗାଡ଼ିର ସସପେନ୍ସନ୍, ବ୍ରେକ୍ ଏବଂ ଟାୟାର ଉପରେ ଅତ୍ୟଧିକ ଚାପ ପଡ଼ିଥାଏ। ଜରୁରୀକାଳୀନ ପରିସ୍ଥିତିରେ ବ୍ରେକ୍ ମାରିଲେ ଗାଡ଼ି ଅଟକିବାକୁ ଅଧିକ ସମୟ ନେଇଥାଏ, ଯାହା ଦୁର୍ଘଟଣାର ଆଶଙ୍କାକୁ ବଢ଼ାଇଦିଏ । ଏହା ସହିତ ଗାଡ଼ିର ମାଇଲେଜ୍ ମଧ୍ୟ କମିଯାଏ ।

