ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ଏକାସାଙ୍ଗରେ ଦୁଇଟି ଅଲଗା ଅଲଗା ଫର୍ମାଟ୍ରେ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଗୋଟିଏ ପଟେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଟି୨୦ ଟିମ୍ ଭାଗ ନେବ, ଅନ୍ୟପଟେ ଭାରତ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍ ଖେଳାଯିବ । ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ୍ ସିରିଜ୍ ଆରମ୍ଭ ହେଉଥିବା ବେଳେ ସେପ୍ଟେମ୍ବର ୨୮ରୁ ଏସୀୟ କ୍ରୀଡ଼ାରେ ଭାରତର ମ୍ୟାଚ୍ ଆରମ୍ଭ ହେବ । ତେବେ ଏହି ଦୁଇଟି ଅଲଗା ଟିମ୍ର ଚୟନକୁ ନେଇ କ୍ରିକେଟ୍ ତାରକା ୱାଶିଂଟନ୍ ସୁନ୍ଦରଙ୍କୁ ସାମିଲ କରିବା ପାଇଁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଦିନିକିଆ ଅଧିନାୟକ ଶୁଭମନ୍ ଗିଲ୍ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର କୋଚ୍ ଦାୟିତ୍ୱ ନେଉଥିବା ଭି.ଭି.ଏସ୍. ଲକ୍ଷ୍ମଣଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି ।
ୱେଷ୍ଟଇଣ୍ଡିଜ୍ ଦଳରେ ବାମହାତୀ ବ୍ୟାଟରଙ୍କ ସଂଖ୍ୟା ଅଧିକ ଥିବାରୁ, ସେମାନଙ୍କ ବିପକ୍ଷରେ ସୁନ୍ଦରଙ୍କ ଅଫ୍-ସ୍ପିନ୍ ବୋଲିଂ ବେଶ୍ ଫଳପ୍ରଦ ହେବ ବୋଲି ଗମ୍ଭୀର ଓ ଗିଲ୍ ଆଶା ରଖିଥିଲେ । ସେମାନେ ସୁନ୍ଦରଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସ୍କ୍ୱାଡ୍ରେ ସାମିଲ କରିବାକୁ ଦାବି କରିଥିଲେ । ଅନ୍ୟପଟେ, ଏସୀୟ କ୍ରୀଡ଼ା କୋଚ୍ ଭି.ଭି.ଏସ୍. ଲକ୍ଷ୍ମଣ, ସୁନ୍ଦରଙ୍କୁ ଛାଡ଼ିବାକୁ ସିଧାସଳଖ ମନା କରିଦେଇଥିଲେ । ସେ ଦର୍ଶାଇଥିଲେ ଯେ ଏସୀୟ କ୍ରୀଡ଼ାରେ ଭାରତର ସମ୍ଭାବ୍ୟ ପ୍ରତିପକ୍ଷ ନେପାଳ ଟିମ୍ରେ ମଧ୍ୟ ଏକାଧିକ ବାମହାତୀ ବ୍ୟାଟର ଅଛନ୍ତି, ଯାହାଙ୍କ ବିପକ୍ଷରେ ସୁନ୍ଦରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଶେଷରେ ଲକ୍ଷ୍ମଣଙ୍କ ଯୁକ୍ତି ଗ୍ରହଣ କରାଯାଇ ସୁନ୍ଦରଙ୍କୁ ଏସୀୟ କ୍ରୀଡ଼ା ଟି୨୦ ଟିମ୍ରେ ବଜାୟ ରଖାଯାଇଛି । ଏହାର ବଦଳରେ ନୀତିଶ କୁମାର ରେଡ୍ଡୀଙ୍କୁ ଏସୀୟ କ୍ରୀଡ଼ା ଦଳରୁ ମୁକ୍ତ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସ୍କ୍ୱାଡ୍ରେ ସାମିଲ କରାଯାଇଛି ।

