ନୂଆଦିଲ୍ଲୀ: ଆମେରିକା ସହ ପୁଣିଥରେ ଆଲୋଚନା ଆରମ୍ଭ କରିବା ପାଇଁ ଇରାନ ନିଜର ୭ଟି ସର୍ତ୍ତ ରଖିଛି। କାତାର ମଧ୍ୟସ୍ଥତାରେ ଏହି ସର୍ତ୍ତଗୁଡ଼ିକୁ ଆମେରିକା ନିକଟରେ ପହଞ୍ଚାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ଏହି ଦାବିଗୁଡ଼ିକୁ ଗ୍ରହଣ ନକଲେ ଇରାନ ‘ନିର୍ଣ୍ଣାୟକ ଯୁଦ୍ଧ’ ପାଇଁ ପ୍ରସ୍ତୁତ ବୋଲି ଚେତାବନୀ ଦେଇଛି। ଇରାନର ସୁପ୍ରିମ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ସଚିବ ମୋହସେନ ରେଜାଇ କହିଛନ୍ତି ଯେ, କାତାର ମାଧ୍ୟମରେ ୱାଶିଂଟନକୁ ତେହରାନର ସର୍ତ୍ତ ଜଣାଇ ଦିଆଯାଇଛି। ଏବେ ଇରାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି।
ଇରାନର ପ୍ରମୁଖ ଦାବି ମଧ୍ୟରେ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ କରିବା, ବିଦେଶରେ ଫ୍ରିଜ୍ ହୋଇଥିବା ଇରାନୀ ଅର୍ଥ ମୁକ୍ତ କରିବା ଏବଂ ନୌସେନା ଅବରୋଧ ହଟାଇବା ରହିଛି। ରେଜାଇ କହିଛନ୍ତି, ଟ୍ରମ୍ପଙ୍କ ଧମକରେ ଇରାନର ଆଭିମୁଖ୍ୟ ବଦଳିବ ନାହିଁ ଏବଂ ଦେଶ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ।
ରେଜାଇଙ୍କ ଅନୁସାରେ, ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି। ଇରାନ ଏଥିପାଇଁ ନିଜର ସାମରିକ ଯୋଜନାରେ ପରିବର୍ତ୍ତନ କରିଛି। ଗଲ୍ଫ, ଗଲ୍ଫ ଅଫ୍ ଓମାନ୍ ଏବଂ ଆରବ ସାଗରରେ ମୁତୟନ ଆମେରିକୀୟ ନୌସେନା ସମ୍ପତ୍ତି ଉପରେ ଇରାନର ନଜର ଥିବା ସେ କହିଛନ୍ତି। ଭବିଷ୍ୟତରେ ଆକ୍ରମଣ ହେଲେ ଆମେରିକୀୟ ସାମରିକ ଘାଟି ସହ ବାଣିଜ୍ୟିକ ସ୍ୱାର୍ଥ ଓ କମ୍ପାନୀଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ପରମାଣୁ କାର୍ଯ୍ୟକ୍ରମକୁ ନେଇ ରେଜାଇ କହିଛନ୍ତି ଯେ, ଇରାନ ଏପର୍ଯ୍ୟନ୍ତ NPTରୁ ବାହାରିବା ନିଷ୍ପତ୍ତି ନେଇନାହିଁ। ତେବେ ଆମେରିକାର ପଦକ୍ଷେପ ଇରାନକୁ ସେହି ଦିଗରେ ଠେଲିପାରେ। ଇରାନର ପରମାଣୁ ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା ଏବଂ ପରମାଣୁ ଅସ୍ତ୍ର ନିର୍ମାଣ ନକରିବା ନେଇ ଧାର୍ମିକ ନିର୍ଦ୍ଦେଶ ଜାରି ରହିଥିବା ସେ କହିଛନ୍ତି।
ବାବ୍-ଅଲ୍-ମାନଦେବ୍ ଷ୍ଟ୍ରେଟ୍ ବନ୍ଦ କରିବା ନେଇ ଇରାନର କୌଣସି ଯୋଜନା ନଥିବା ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ନେଇ ଇରାନ ଓ ଓମାନ ମଧ୍ୟରେ ଏକ ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଥିଲା, କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି।
ଏହା ମଧ୍ୟରେ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଜାତିସଂଘ ସାଧାରଣ ସଭାର ହାଇ-ଲେଭେଲ୍ ୱିକ୍ରେ ଯୋଗଦେବା ପାଇଁ ଇରାନୀ ପ୍ରତିନିଧିମଣ୍ଡଳକୁ ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ଭିସା ଜାରି କରିଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୮ରୁ ୨୮ ପର୍ଯ୍ୟନ୍ତ ନ୍ୟୁୟର୍କରେ ଚାଲିବ।

