Mahanadi Water Dispute:ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ,କହିଲେ-ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବ;ଏପଟେ ବିଜେଡିର ପ୍ରଶ୍ନ କେତେ ପାଦ ଆଗକୁ ବଢ଼ିଛି…
ଭୁବନେଶ୍ବର: ୨ ଦିନଆ ଓଡ଼ିଶା ଗସ୍ତରେ ଆସି ଏହି ବଡ଼ ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ବିଷ୍ଣୁଦେବ ସାଏ ।
ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ ନାହିଁ । ଦିଲ୍ଲୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସାରିଛି । ନିଷ୍ପତ୍ତି ପାଇଁ ଉଭୟ ରାଜ୍ୟ CWCକୁ ସହମତି ଜଣାଇ ସାରିଛନ୍ତି । CWC ଯାହା ନିଷ୍ପତ୍ତି ନେବ ତାକୁ ଉଭୟ ରାଜ୍ୟ ମାନିବୁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆହୁରି ସେ କହିଛନ୍ତି ଯେ, ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା ତାର ସମାଧାନ ହେଉଛି । ଓଡ଼ିଶାରେ ବିଜେପି, ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ଏନ୍ଡିଏ ସରକାର ଅଛି । ତେଣୁ ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ବିଷ୍ଣୁଦେବ ସାଏ ।
ଏପଟେ ମହାନଦୀ ଜଳ ବିବାଦକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ମହାନଦୀ ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ କୌଣସି ଅଫିସିଆଲ ଆଲୋଚନା ହେବ କି, ସେନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସରକାରଙ୍କୁ ଅଢେଇ ବର୍ଷରୁ ଅଧିକ ସମୟ ହୋଇଥିବାବେଳେ ମହାନଦୀ ପ୍ରସଙ୍ଗରେ କେତେ ପାଦ ଆଗକୁ ବଢ଼ିଛି, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ଉଭୟ ରାଜ୍ୟ ମଧ୍ୟରେ ପ୍ରକୃତରେ କଣ ଆଲୋଚନା ହେଉଛି ଏବଂ କଣ ନିଷ୍ପତ୍ତି ହୋଇଛି, ତାହା ସାର୍ବଜନୀନ କରାଯାଉ ବୋଲି ବିଜେଡି ଦାବି କରିଛି ।
ଗତ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ମୋହନ ଚରଣ ମାଝୀ ଓ ବିଷ୍ଣୁ ଦେଓ ସାଏଙ୍କ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ସେହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନାକୁ ସକାରାତ୍ମକ ବୋଲି କହିବା ସହ ଆଲୋଚନା ଓ ପାରସ୍ପରିକ ସହଯୋଗ ମାଧ୍ୟମରେ ସମାଧାନ ବାହାରିବା ନେଇ ଆଶା ପ୍ରକାଶ କରିଥିଲେ । ଉଭୟ ରାଜ୍ୟ ମଧ୍ୟ ବୈଷୟିକ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ।
ମହାନଦୀର ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ରହିଛି । ଛତିଶଗଡ଼ ଉପରମୁଣ୍ଡରେ ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜ୍ ଓ ଜଳ ପ୍ରକଳ୍ପ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀର ଜଳପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶାର ଅଭିଯୋଗ । ବିଶେଷ କରି ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳ ଏବଂ ତଳମୁଣ୍ଡରେ ଜଳ ଉପଲବ୍ଧତା ଉପରେ ଏହାର ପ୍ରଭାବ ପଡ଼ୁଥିବା ଓଡ଼ିଶା କହିଆସୁଛି । ବିବାଦର ସମାଧାନ ପାଇଁ ଓଡ଼ିଶାର ଅନୁରୋଧ ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ । ଆଇନଗତ ପ୍ରକ୍ରିୟା ସହ ଏବେ ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ସ୍ତରରେ ମଧ୍ୟ ସମାଧାନର ବାଟ ଖୋଜୁଛନ୍ତି ।

