ମୁମ୍ବାଇ: ଦେଶର ସର୍ବବୃହତ୍ କର୍ପୋରେଟ୍ ଗ୍ରୁପ୍ ‘ଟାଟା ସନ୍ସ’ ଭିତରେ ଏବେ ଏକ ବଡ଼ ଧରଣର ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କଡ଼ା ନିୟମ ଅନୁଯାୟୀ ଟାଟା ସନ୍ସକୁ ସେୟାର ବଜାରରେ ତାଲିକାଭୁକ୍ତ କରାଯିବା ନେଇ ବାଧ୍ୟତାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଟାଟା ଟ୍ରଷ୍ଟ୍ସର ଅଧ୍ୟକ୍ଷ ନୋଏଲ୍ ଟାଟା ଏହାକୁ ତୀବ୍ର ବିରୋଧ କରିଛନ୍ତି ।
କୌଣସି ପରିସ୍ଥିତିରେ ବି କମ୍ପାନୀ ସେୟାର ବଜାରରେ ତାଲିକାଭୁକ୍ତ ନ ହେଉ ବୋଲି ସେ ଦାବି କରିଛନ୍ତି । ଏଥିପାଇଁ ସେ ଏକ ନୂଆ ବିକଳ୍ପ ସାମ୍ନାକୁ ଆଣିଛନ୍ତି, ଯାହା କର୍ପୋରେଟ୍ ଜଗତରେ ହଲଚଲ୍ ସୃଷ୍ଟି କରିଛି । ଆରବିଆଇର ଏହି ବାଧ୍ୟତାମୂଳକ ନିୟମରୁ ବର୍ତ୍ତିବା ପାଇଁ ସମଗ୍ର କମ୍ପାନୀକୁ ବିଭିନ୍ନ ଭାଗରେ ବିଭାଜନ କିମ୍ବା ପୁନର୍ଗଠନ କରିବାକୁ ନୋଏଲ୍ ପ୍ରସ୍ତାବ ଦେଇଛନ୍ତି ।
ଗତ ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ଟାଟା ସନ୍ସର ବୋର୍ଡ ବୈଠକରେ ଏହି ପ୍ରସଙ୍ଗରେ ତୀବ୍ର ମତଭେଦ ଦେଖିବାକୁ ମିଳିଥିଲା । ନୋଏଲ୍ ଟାଟାଙ୍କ ବିଭାଜନ ପ୍ରସ୍ତାବରେ ବୋର୍ଡର ଅନ୍ୟ ସଦସ୍ୟମାନେ ସହମତି ପ୍ରକାଶ କରିନଥିଲେ । ସେହିପରି ଗ୍ରୁପ୍ର ଏକ୍ସିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍ଙ୍କୁ ପୁନର୍ବାର ନିଯୁକ୍ତ କରିବା ପ୍ରସ୍ତାବକୁ ନୋଏଲ୍ କଡ଼ା ବିରୋଧ କରିଥିଲେ ମଧ୍ୟ ବାକି ସଦସ୍ୟମାନେ ସର୍ବସମ୍ମତିକ୍ରମେ ଚନ୍ଦ୍ରଶେଖରନ୍ଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଏହି ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି ଯେ ଟାଟା ଗ୍ରୁପ୍ର ଶୀର୍ଷ ନେତୃତ୍ୱ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, ଆରବିଆଇ ଟାଟା ସନ୍ସକୁ ଏକ ‘ଅପର୍ ଲେୟାର୍’ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ ବର୍ଗରେ ରଖିଛି, ଯାହା ଅଧୀନରେ କମ୍ପାନୀ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେୟାର ବଜାରରେ ତାଲିକାଭୁକ୍ତ ହେବା ଆବଶ୍ୟକ । ନିଜର ସମସ୍ତ ଋଣ ପରିଶୋଧ କରିବା ପରେ ଏହି ନିୟମରୁ ବାଦ୍ ଦେବାକୁ ଟାଟା ସନ୍ସ ଆରବିଆଇ ନିକଟରେ ଆବେଦନ କରିଥିଲା, ମାତ୍ର ଆରବିଆଇ ଏହାକୁ ଖାରଜ କରିଦେଇଥିଲା । ଏହାପରେ କମ୍ପାନୀ ୨୦୨୭ ଫେବୃଆରୀ ସୁଦ୍ଧା ଲିଷ୍ଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କିନ୍ତୁ କମ୍ପାନୀର ସର୍ବାଧିକ (ପ୍ରାୟ ୬୬ ପ୍ରତିଶତ) ଅଂଶଧନ ରଖିଥିବା ଟାଟା ଟ୍ରଷ୍ଟ୍ସ ଚାହୁଁଛି ଯେ ହୋଲ୍ଡିଂ କମ୍ପାନୀ ଏକ ଘରୋଇ ସଂସ୍ଥା ଭାବରେ ରହୁ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରଖୁ । ଅନ୍ୟପକ୍ଷରେ ମାଇନୋରିଟି ସେୟାରହୋଲ୍ଡର ଥିବା ସାପୁରଜୀ ପାଲୋନଜୀ ଗ୍ରୁପ୍ ନିଜର ଋଣଭାର କମାଇବାକୁ ଲିଷ୍ଟିଂ ସପକ୍ଷରେ ରହିଛି ।
ବିଶେଷଜ୍ଞଙ୍କ ମତରେ ଟାଟା ସନ୍ସ ଭଳି ଏକ ବିଶାଳ ସାମ୍ରାଜ୍ୟର ବିଭାଜନ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଅଟେ। ଏହାଦ୍ୱାରା ଟିକସ, ଆଇନଗତ ଏବଂ ବ୍ୟବସାୟିକ କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିବ। ଟାଟା ସନ୍ସ ଅଧୀନରେ ଟିସିଏସ, ଟାଟା ମୋଟର୍ସ, ଟାଟା ଷ୍ଟିଲ୍ ଓ ଏୟାର ଇଣ୍ଡିଆ ଭଳି ଅନେକ ବିଶ୍ୱସ୍ତରୀୟ କମ୍ପାନୀ ରହିଛନ୍ତି ।
କମ୍ପାନୀ ବିଭାଜନ ହେଲେ ଟିସିଏସ୍ରୁ ମିଳୁଥିବା ମୋଟା ଅଙ୍କର ଲାଭାଂଶ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ବର୍ତ୍ତମାନ ଏହି ଅର୍ଥରେ ଏୟାର ଇଣ୍ଡିଆ ଓ ଟାଟା ଡିଜିଟାଲ୍ ଭଳି ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଅଣ-ତାଲିକାଭୁକ୍ତ ବ୍ୟବସାୟଗୁଡ଼ିକର ପାଣ୍ଠି ଯୋଗାଣ କରାଯାଉଛି । ୨୦୨୬ ଆର୍ଥିକ ବର୍ଷରେ ଟାଟା ସନ୍ସର ରାଜସ୍ୱ ବୃଦ୍ଧି ପାଇଥିଲେ ମଧ୍ୟ ଏହି ଅଣ-ତାଲିକାଭୁକ୍ତ କମ୍ପାନୀଗୁଡ଼ିକର କ୍ଷତି ଯୋଗୁଁ କମ୍ପାନୀର ମୋଟ୍ ଲାଭ ହ୍ରାସ ପାଇଥିଲା । ଏଭଳି ସ୍ଥିତିରେ ଆରବିଆଇ ନୋଏଲଙ୍କ ନୂଆ ବିଭାଜନ ପ୍ରସ୍ତାବକୁ କେତେଦୂର ଗ୍ରହଣ କରିବ ଏବଂ ଏହା ଟାଟା ଗ୍ରୁପ୍ର ଭବିଷ୍ୟତ କିପରି ନିର୍ଦ୍ଧାରଣ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

