ନୂଆଦିଲ୍ଲୀ: ନିଜର ଆକ୍ରାମକ ବ୍ୟାଟିଂ ଏବଂ ନିଷ୍କପଟ ଶୈଳୀ ପାଇଁ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଏବେ ମନୋରଞ୍ଜନ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ସେ ଚର୍ଚ୍ଚିତ ରିଆଲିଟି ସୋ ରାଇଜ୍ ଆଣ୍ଡ୍ ଫଲର ଦ୍ୱିତୀୟ ସିଜନ୍ରେ ସଞ୍ଚାଳକ (ହୋଷ୍ଟ) ଭାବେ ନଜର ଆସିବେ । ତେବେ ଏହି ସୋ’ରେ କ୍ରିକେଟ୍ ପରି ବ୍ୟାଟ୍-ବଲ୍ର ଖେଳ ହେବନାହିଁ, ବରଂ ପ୍ରତିଯୋଗୀଙ୍କ ମଧ୍ୟରେ କୌଶଳ, ରଣନୀତି ଏବଂ ମାନସିକତାର ପରୀକ୍ଷା ହେବ । ସେହ୍ୱାଗ ସୂଚନା ଦେଇଛନ୍ତି ଯେ ପ୍ରଥମେ ଯେତେବେଳେ ତାଙ୍କୁ ଏହି ପ୍ରସ୍ତାବ ମିଳିଥିଲା, ସେ ସିଧାସଳଖ ମନା କରିଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିର୍ମାତାମାନେ ତାଙ୍କୁ ବୁଝାଇଥିଲେ ଯେ ତାଙ୍କୁ ଅନ୍ୟ କୌଣସି ହୋଷ୍ଟଙ୍କ ନକଲ କରିବାକୁ ପଡ଼ିବ ନାହିଁ, ବରଂ କ୍ରିକେଟ୍ ପଡ଼ିଆ ପରି ନିଜର ସ୍ୱାଭାବିକ ଶୈଳୀରେ ହିଁ କାମ କରିବାକୁ ହେବ । ନିର୍ମାତାଙ୍କ ଏହି ବିଶ୍ୱାସ ପରେ ସେ ହୋଷ୍ଟ କରିବାକୁ ରାଜି ହୋଇଥିଲେ ।
ସେହ୍ୱାଗଙ୍କ କହିବା ଅନୁଯାୟୀ, ଦୀର୍ଘ ୨୦ ବର୍ଷର କ୍ରିକେଟ୍ କ୍ୟାରିୟରରେ ସେ ବିଭିନ୍ନ ପ୍ରକାରର ଖେଳାଳି ଓ ଲୋକଙ୍କ ସହ କାମ କରିଛନ୍ତି, ଯାହା ଏହି ସୋ’ରେ ପ୍ରତିଯୋଗୀଙ୍କୁ ବୁଝିବାରେ ସାହାଯ୍ୟ କରିବ। ପ୍ରତିଯୋଗୀଙ୍କ ମାନସିକତା ଏବଂ ବ୍ୟବହାରକୁ ଦେଖି ସେ ନିଜର ରଣନୀତି ସ୍ଥିର କରିବେ । ସୋରେ ନିୟମ ଭଙ୍ଗ କଲେ ସେ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରିପାରିବେ । ଏହି ସୋ ସେପ୍ଟେମ୍ବର ୨୬ ରୁ ଷ୍ଟ୍ରିମିଂ ହେବ । ଏଥିରେ ୧୫ ଜଣ ପ୍ରତିଯୋଗୀ ୪୨ ଦିନ ପର୍ୟ୍ୟନ୍ତ କ୍ଷମତା, ରଣନୀତି ଏବଂ ମାନସିକ ଖେଳ ମାଧ୍ୟମରେ ପ୍ରତିଯୋଗିତା କରିବେ । ପ୍ରଥମ ସିଜନ୍କୁ ଅଶ୍ନୀର ଗ୍ରୋଭର ହୋଷ୍ଟ କରିଥିବା ବେଳେ ଏଥର ସେହ୍ୱାଗ ନୂଆ ରୂପରେ ନଜର ଆସିବେ । ଏହାସହ ଏଥର ଦର୍ଶକମାନେ ପ୍ରତିଯୋଗୀଙ୍କ ମୂଲ୍ୟ ନିର୍ଦ୍ଧାରଣ କରି ସେମାନଙ୍କ ଗେମ୍ ସ୍ଥିର କରିବାର ସୁଯୋଗ ପାଇବେ । ଏହି ସିଜନ୍ରେ ସ୍ୱରା ଭାସ୍କର, କରଣ ପଟେଲ, ଗୌତମ ଗୁଲାଟି, ସେହଜାଦ୍ ପୁନାୱାଲା ଏବଂ ପ୍ରିୟଙ୍କା ଚହର ଚୌଧୁରୀଙ୍କ ପରି ଚର୍ଚ୍ଚିତ ଚେହେରା ଭାଗ ନେଉଛନ୍ତି।

