ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତ ସମ୍ଭାବନା ଥିବାରୁ ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଘୋଷଣା କରିଛନ୍ତି।
ଏକ ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, “ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ରହିଛି। ଯାହା ଫଳରେ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ (ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଡିଗ୍ରୀ କଲେଜ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ୨୬ ସେପ୍ଟେମ୍ବରରେ ବନ୍ଦ ରହିବ।”
ତେବେ ବିଦ୍ୟାଳୟ ଏବଂ କଲେଜର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ନିଜ କର୍ତ୍ତବ୍ୟରେ ଯୋଗଦେବେ। ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ଦ୍ୱାରା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସେମାନଙ୍କ ସେବା ଉପଯୋଗ କରାଯାଇପାରେ ବୋଲି ସେ କହିଛନ୍ତି।
ଜିଲ୍ଲାପାଳ ଆହୁରି ସ୍ପଷ୍ଟ କରିଛନ୍ତି ଯେ ସମ୍ପୃକ୍ତ ବୋର୍ଡ/କାଉନସିଲ୍/ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବାକୁ ଥିବା ଯେକୌଣସି ନିର୍ଦ୍ଧାରିତ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ପ୍ରବଳ ବର୍ଷା ସମ୍ପର୍କିତ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବରୁ ସେପ୍ଟେମ୍ବର ୨୩ ରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଥିଲା।

