ଭୁବନେଶ୍ବର: ସକାଳର ଜଳଖିଆ ଦିନର ପ୍ରଥମ ଖାଦ୍ୟ ହୋଇଥିବାରୁ ଏହାକୁ ପୁଷ୍ଟିକର ରଖିବା ଜରୁରୀ। ପ୍ରୋଟିନ୍ଯୁକ୍ତ ଜଳଖିଆ ଖୋଜୁଥିଲେ ସ୍ପ୍ରାଉଟ୍ସ ଓ ଚଣାରେ ପ୍ରସ୍ତୁତ ଚାଟ୍ ଏକ ସହଜ ବିକଳ୍ପ ହୋଇପାରେ। ସାଧାରଣ ଭାବେ ସିଝାଇ ଖାଇବା ବଦଳରେ ଏଥିରେ କିଛି ଦେଶୀ ମସଲା, ଚଟଣି ଓ ଲେମ୍ବୁ ମିଶାଇଲେ ଏହାର ସ୍ୱାଦ ଆହୁରି ଚଟପଟା ହୋଇଯାଏ।
ଆବଶ୍ୟକ ସାମଗ୍ରୀ
ଏଥିପାଇଁ ୧ କପ୍ ଅଙ୍କୁରିତ ମୁଗ, ୧ କପ୍ ଅଙ୍କୁରିତ କିମ୍ବା ସିଝା ଚଣା, ୧ଟି କଟା ପିଆଜ, ୧ଟି କଟା ଟମାଟୋ, ୧ଟି କଟା କଞ୍ଚାଲଙ୍କା, ଅଧା କପ୍ କଟା କାକୁଡ଼ି ଏବଂ ଚତୁର୍ଥାଂଶ କପ୍ କଟା ଧନିଆ ପତ୍ର ନିଅନ୍ତୁ। ଏହା ସହିତ ୧ ଚାମଚ ଖଟା-ମିଠା ତେନ୍ତୁଳି ଚଟଣି, ୧ ଚାମଚ ଗ୍ରୀନ୍ ଚଟଣି, ୧ ଚାମଚ ଲେମ୍ବୁ ରସ, ଅଧା ଚାମଚ ଭଜା ଜିରା ଗୁଣ୍ଡ, ଅଧା ଚାମଚ ଚାଟ୍ ମସଲା, ଚତୁର୍ଥାଂଶ ଚାମଚ ଲଙ୍କା ଗୁଣ୍ଡ, ଚତୁର୍ଥାଂଶ ଚାମଚ କଳା ଲୁଣ ଓ ଆବଶ୍ୟକ ଅନୁସାରେ ସାଧା ଲୁଣ ନିଅନ୍ତୁ।
କିପରି ପ୍ରସ୍ତୁତ କରିବେ?
ପ୍ରଥମେ ଯଦି କଞ୍ଚା ସ୍ପ୍ରାଉଟ୍ସ ଖାଇଲେ ହଜମରେ ସମସ୍ୟା ହେଉଥାଏ, ତେବେ ଅଙ୍କୁରିତ ମୁଗ ଓ ଚଣାକୁ ୩-୪ ମିନିଟ୍ ପର୍ଯ୍ୟନ୍ତ ହାଲୁକା ଭାବେ ବାମ୍ଫ ଦିଅନ୍ତୁ। ଏହା ପରେ ଏକ ବଡ଼ ପାତ୍ରରେ ସ୍ପ୍ରାଉଟ୍ସ ଓ ଚଣା ନେଇ ସେଥିରେ କଟା ପିଆଜ, ଟମାଟୋ, କାକୁଡ଼ି ଓ କଞ୍ଚାଲଙ୍କା ମିଶାନ୍ତୁ। ଏବେ ଏଥିରେ କଳା ଲୁଣ, ସାଧା ଲୁଣ, ଭଜା ଜିରା ଗୁଣ୍ଡ, ଚାଟ୍ ମସଲା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ପରେ ଗ୍ରୀନ୍ ଚଟଣି ଓ ତେନ୍ତୁଳିର ଖଟା-ମିଠା ଚଟଣି ଦେଇ ଉପରୁ ଲେମ୍ବୁ ରସ ଚିପୁଡ଼ନ୍ତୁ। ସମସ୍ତ ସାମଗ୍ରୀ ଓ ମସଲା ଭଲ ଭାବେ ମିଶିବା ପର୍ଯ୍ୟନ୍ତ ଚାମଚରେ ଭଲ ଭାବେ ଗୋଳାନ୍ତୁ। ଶେଷରେ ଏହାକୁ ସର୍ଭିଂ ବାଉଲରେ କାଢ଼ି ଉପରେ ତାଜା ଧନିଆ ପତ୍ର ଦେଇ ପରଷନ୍ତୁ।
ସହଜରେ ପ୍ରସ୍ତୁତ ହେଉଥିବା ଏହି ଚାଟ୍ରେ ସ୍ପ୍ରାଉଟ୍ସ ଓ କଳା ଚଣା ସହ ପନିପରିବା ଓ ବିଭିନ୍ନ ମସଲାର ସ୍ୱାଦ ମିଳିଥାଏ। ଆଉ ଶରୀର ପାଇଁ ମଧ୍ୟ ବେଶ୍ ପୃଷ୍ଟିକର ହୋଇଥାଏ । ତେଣୁ ଜଳଖିଆରେ କିଛି ଚଟପଟା ଓ ପୁଷ୍ଟିକର ଖାଇବାକୁ ଚାହୁଁଥିଲେ ଏହି ରେସିପି ଘରେ ସହଜରେ ପ୍ରସ୍ତୁତ କରିପାରିବେ।

