Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍ ଭାରତର ବଡ଼ ଚିତ୍ର
ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ଆୟୁ ବଢ଼ିଛି। ପାକିସ୍ତାନ ତୁଳନାରେ ଭାରତ ଆଗରେ ଥିବା ବେଳେ ବାଂଲାଦେଶଠାରୁ ଏବେ ବି ପଛରେ ରହିଛି ଭାରତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHOର ନୂଆ ‘ଗ୍ଲୋବାଲ୍ ହେଲ୍ଥ ଏଷ୍ଟିମେଟ୍ସ’ ରିପୋର୍ଟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
୨୦୦୦ରୁ ୨୦୨୩ ପର୍ଯ୍ୟନ୍ତର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁସାରେ, ୨୦୨୩ରେ ଭାରତରେ ଜନ୍ମ ସମୟରେ ହାରାହାରି ଆୟୁ ୭୧ ବର୍ଷ ରହିଥିଲା। ସେହି ସମୟରେ ପାକିସ୍ତାନରେ ଏହା ୬୮.୨ ବର୍ଷ ଥିଲା। ଅର୍ଥାତ୍ ପାକିସ୍ତାନ ତୁଳନାରେ ଭାରତୀୟଙ୍କ ହାରାହାରି ଆୟୁ ପ୍ରାୟ ୨.୮ ବର୍ଷ ଅଧିକ। କିନ୍ତୁ ବାଂଲାଦେଶର ହାରାହାରି ଆୟୁ ୭୨.୭ ବର୍ଷ ଥିବାରୁ ଭାରତ ତା’ଠାରୁ ୧.୭ ବର୍ଷ ପଛରେ ରହିଛି। କେବଳ ବାଂଲାଦେଶ ନୁହେଁ, ଆମେରିକା ଓ କାନାଡା ମଧ୍ୟ ଭାରତଠାରୁ ଆଗରେ ରହିଛନ୍ତି। ଆମେରିକାରେ ହାରାହାରି ଆୟୁ ୭୮.୫ ବର୍ଷ ଏବଂ କାନାଡାରେ ୮୧.୪ ବର୍ଷ ରହିଛି।
ତେବେ କୋଭିଡ୍ ମହାମାରୀ ସମୟରେ ଭାରତର ଆୟୁଷ ଉପରେ ବଡ଼ ପ୍ରଭାବ ପଡ଼ିଥିଲା। ୨୦୧୯ରେ ଭାରତର ହାରାହାରି ଆୟୁ ୭୦.୫ ବର୍ଷ ଥିବା ବେଳେ ୨୦୨୧ରେ ଏହା ହ୍ରାସ ପାଇ ୬୮.୧ ବର୍ଷରେ ପହଞ୍ଚିଥିଲା। ତେବେ ଏହା ପରେ ଦ୍ରୁତ ସୁଧାର ହୋଇଥିଲା। ୨୦୨୨ରେ ଏହା ପୁଣି ୭୦.୫ ବର୍ଷ ଏବଂ ୨୦୨୩ରେ ୭୧ ବର୍ଷ ହୋଇଥିଲା। ଅର୍ଥାତ୍ ମାତ୍ର ଦୁଇ ବର୍ଷରେ ଭାରତ ପ୍ରାୟ ୨.୯ ବର୍ଷର ଆୟୁଷ୍ୟ ପୁଣି ହାସଲ କରିଛି।
ହେଲେ ଏଠାରେ ରହିଛି ରିପୋର୍ଟର ସବୁଠାରୁ ବଡ଼ ଚିନ୍ତାର କଥା। କେତେ ବର୍ଷ ବଞ୍ଚୁଛନ୍ତି, ତାହା ବଢ଼ିଥିଲେ ମଧ୍ୟ କେତେ ବର୍ଷ ସୁସ୍ଥ ଭାବେ ବଞ୍ଚୁଛନ୍ତି, ସେଥିରେ ସୁଧାର ବହୁତ କମ୍। ୨୦୧୯ରେ ଭାରତର ‘ହେଲ୍ଥି ଲାଇଫ ଏକ୍ସପେକ୍ଟେନ୍ସି’ ବା ସୁସ୍ଥ ଜୀବନ ପ୍ରତ୍ୟାଶା ୬୦.୫ ବର୍ଷ ଥିଲା। କୋଭିଡ୍ ସମୟରେ ଏହା ୨୦୨୧ରେ ୫୮.୪ ବର୍ଷକୁ ଖସିଥିଲା। ୨୦୨୨ରେ ୬୦.୨ ବର୍ଷ ଏବଂ ୨୦୨୩ରେ ୬୦.୬ ବର୍ଷକୁ ବଢ଼ିଛି। ଅର୍ଥାତ୍ ୨୦୧୯ ତୁଳନାରେ ସୁସ୍ଥ ଜୀବନର ପ୍ରତିଶତ ମାତ୍ର ୦.୧ ବର୍ଷ ବଢ଼ିଛି।
୬୦ ବର୍ଷ ବୟସର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଚିତ୍ର ଦେଖାଯାଇଛି। ୨୦୨୩ରେ ୬୦ ବର୍ଷ ବୟସର ଜଣେ ଭାରତୀୟ ଆହୁରି ହାରାହାରି ୧୮.୮ ବର୍ଷ ବଞ୍ଚିବେ ବୋଲି ଆଶା କରାଯାଇଥିଲା। ୨୦୧୯ରେ ଏହା ୧୮.୪ ବର୍ଷ ଥିଲା। ଏହି ୧୮.୮ ବର୍ଷ ମଧ୍ୟରୁ ପ୍ରାୟ ୧୩.୭ ବର୍ଷ ସୁସ୍ଥ ଭାବେ ବଞ୍ଚିବାର ଆଶା ରହିଛି। ୨୦୧୯ରେ ଏହା ୧୩.୪ ବର୍ଷ ଥିଲା।
ରିପୋର୍ଟ ଭାରତରେ ମୃତ୍ୟୁର କାରଣରେ ଆସିଥିବା ବଡ଼ ପରିବର୍ତ୍ତନକୁ ମଧ୍ୟ ଦର୍ଶାଇଛି। ୨୦୦୦ରେ ଦେଶର ଶୀର୍ଷ ୧୦ଟି ମୃତ୍ୟୁ କାରଣ ମଧ୍ୟରେ ସଂକ୍ରାମକ ରୋଗର ଭାଗ ପ୍ରାୟ ୬୨ ପ୍ରତିଶତ ଥିଲା। ଅନ୍ୟପଟେ ହୃଦ୍ରୋଗ, ଷ୍ଟ୍ରୋକ୍ ଓ ଡାଇବେଟିସ୍ ଭଳି ଅଣ-ସଂକ୍ରାମକ ରୋଗ ବା NCDର ଭାଗ ପ୍ରାୟ ୩୪ ପ୍ରତିଶତ ଥିଲା। କିନ୍ତୁ ୨୦୨୩ ବେଳକୁ ଚିତ୍ର ପୂରା ବଦଳିଯାଇଛି। ଶୀର୍ଷ ୧୦ଟି ମୃତ୍ୟୁ କାରଣ ମଧ୍ୟରେ NCDର ଭାଗ ପ୍ରାୟ ୭୫ ପ୍ରତିଶତକୁ ବଢ଼ିଥିବା ବେଳେ ସଂକ୍ରାମକ ରୋଗର ଭାଗ ପ୍ରାୟ ୧୬ ପ୍ରତିଶତକୁ କମିଛି। ବାକି ମୃତ୍ୟୁ ଆଘାତଜନିତ କାରଣରୁ ହୋଇଛି।
୨୦୦୦ରେ ଯକ୍ଷ୍ମା ଓ ଝାଡ଼ା ଭଳି ସଂକ୍ରାମକ ରୋଗ ମୃତ୍ୟୁର ପ୍ରମୁଖ କାରଣ ଥିଲା। ସେତେବେଳେ ଯକ୍ଷ୍ମାର ମୃତ୍ୟୁହାର ପ୍ରତି ୧ ଲକ୍ଷ ଲୋକରେ ୯୨.୪ ଏବଂ ଝାଡ଼ାରେ ୮୭.୮ ଥିଲା। ୨୦୨୩ରେ ଇସ୍କିମିକ୍ ହାର୍ଟ ଡିଜିଜ୍ ପ୍ରତି ୧ ଲକ୍ଷରେ ୧୩୮.୫, COPD ୮୩.୧୯, ଷ୍ଟ୍ରୋକ୍ ୭୪.୮ ଏବଂ ଡାଇବେଟିସ୍ ୪୯.୦୧ ମୃତ୍ୟୁହାର ସହ ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି। ତଥାପି ଝାଡ଼ା, ଯକ୍ଷ୍ମା ଓ ନିମ୍ନ ଶ୍ୱାସନଳୀ ସଂକ୍ରମଣ ଭଳି ରୋଗ ଏବେ ବି ଭାରତର ଶୀର୍ଷ ୧୦ ମୃତ୍ୟୁ କାରଣ ମଧ୍ୟରେ ରହିଛି।
କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ଅଣ-ସଂକ୍ରାମକ ରୋଗର ପ୍ରଭାବ ବଢ଼ିଛି। ୨୦୨୩ରେ ବିଶ୍ୱର ମୋଟ ମୃତ୍ୟୁର ପ୍ରାୟ ୭୪ ପ୍ରତିଶତ NCD କାରଣରୁ ହୋଇଥିଲା, ଯାହା ୨୦୦୦ରେ ୫୮ ପ୍ରତିଶତ ଥିଲା। ୨୦୨୩ରେ ବିଶ୍ୱର ଶୀର୍ଷ ୧୦ଟି ମୃତ୍ୟୁ କାରଣ ମଧ୍ୟରୁ ୮ଟି ଅଣ-ସଂକ୍ରାମକ ରୋଗ ଥିଲା।
WHO ଅନୁସାରେ, ୨୦୨୩ରେ ବିଶ୍ୱର ହାରାହାରି ଆୟୁ ୭୩.୩ ବର୍ଷରେ ପହଞ୍ଚିଛି। ଏହା ୨୦୧୯ର ୭୩.୪ ବର୍ଷ ତୁଳନାରେ ପ୍ରାୟ ପୂର୍ବ-ମହାମାରୀ ସ୍ତରକୁ ଫେରିଛି। ହେଲେ ବିଶ୍ୱର ‘ହେଲ୍ଥି ଲାଇଫ ଏକ୍ସପେକ୍ଟେନ୍ସି’ ୬୨.୮ ବର୍ଷ ରହିଛି, ଯାହା ୨୦୧୯ ତୁଳନାରେ ଏବେ ବି ୦.୪ ବର୍ଷ କମ୍।

