ନୂଆଦିଲ୍ଲୀ: ନିଷ୍ଠାପର ଭାବେ ଉଦ୍ୟମ କଲେ ନିଶ୍ଚିତ ଭାବେ ସଫଳତା ହାସଲ ହୋଇଥାଏ । ନ୍ୟୁଜିଲାଣ୍ଡର ପରିବେଶବିତ, ଜନତା ଓ ସରକାର ଏହାକୁ ପ୍ରମାଣିତ କରିଛନ୍ତି । ଗୋଟିଏ ସମୟରେ ବ୍ଲାକ୍ ରୋବିନ ଚଢ଼େଇର ସଂଖ୍ୟା ସାରା ଦୁନିଆରେ ମାତ୍ର ୫ରେ ପହଞ୍ଚିଯାଇଥିଲା । ଏପରିକି ଏହା ସମ୍ପୂର୍ଣ୍ଣ ବିଲୁପ୍ତ ହେବାର ଆଶଙ୍କା ଦେଖାଦେଇଥିଲା । କିନ୍ତୁ ନିରନ୍ତର ସଂରକ୍ଷଣ ଏବଂ ସୁରକ୍ଷା ଚେଷ୍ଟା ଯୋଗୁଁ ଏହି ଚଢ଼େଇ ନିଜର ବଂଶ ବୃଦ୍ଧି କରିପାରିଛି । ନ୍ୟୁଜିଲାଣ୍ଡର ଏହି ଚଢ଼େଇ ନିକଟରେ ନ୍ୟୁଜିଲ୍ୟାଣ୍ଡର ପ୍ରସିଦ୍ଧ ବାର୍ଡ ଅଫ୍ ଦି ଇୟର ଟାଇଟଲ୍ ଜିତିଛି । ୧୯୮୦ ଦଶକରେ ଏହି ପକ୍ଷୀଙ୍କ ସଂଖ୍ୟା କମିଯାଇ ମାତ୍ର ୫ରେ ପହଞ୍ଚିଥିଲା, ଯେଉଁଥିରେ କେବଳ ଗୋଟିଏ ପ୍ରଜନନକ୍ଷମ ମାଈ ଚଢ଼େଇ (ଯାହାର ନାମ \’ଓଲ୍ଡ ବ୍ଲୁ\’ ରଖାଯାଇଥିଲା) ବଞ୍ଚିଥିଲା ।
ପରିବେଶବିତ୍ ଏବଂ ସଂରକ୍ଷଣ ଦଳର ନିରବଚ୍ଛିନ୍ନ ପ୍ରଚେଷ୍ଟା ଯୋଗୁଁ ଆଜି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫୦ରୁ ଅଧିକ ହୋଇପାରିଛି । ଏହି ଚମତ୍କାର ପ୍ରତ୍ୟାବର୍ତ୍ତନ କାହାଣୀ ପାଇଁ ନ୍ୟୁଜିଲାଣ୍ଡର ବାର୍ଷିକ ପ୍ରତିଯୋଗିତାରେ ସାଧାରଣ ଜନତା ଏହାକୁ ସର୍ବାଧିକ ଭୋଟ୍ ଦେଇ ବାର୍ଡ ଅଫ୍ ଦି ଇୟର ଭାବେ ବାଛିଛନ୍ତି । ଅନେକ ପ୍ରାଣୀ ଏବେ ବିଲୁପ୍ତ ହେବା ଦ୍ୱାର ଦେଶରେ ପହଂଚିଛନ୍ତି । ଯଦି ସମସ୍ତ ମନୁଷ୍ୟ ଉଦ୍ୟମ କରିବେ ତେବେ ନିଶ୍ଚିତ ଭାବେ ଅନେକ ପ୍ରାଣୀ ଓ ସେମାନଙ୍କ ପ୍ରଜାତିକୁ ବଂଚାଯାଇପାରିବ । ଏହି ଧରାପୃଷ୍ଠରେ ସମସ୍ତଙ୍କର ବଂଚିବାର ଅଧିକାର ରହିଛି ।

