ଢାକା: ଏସୀୟ କ୍ରୀଡ଼ା ୨୦୨୬ରେ ବାଂଲାଦେଶ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ କୌଣସି ପଦକ ନ ଜିତିବା ପରେ ବି ଟି-୨୦ ଅଧିନାୟକ ଲିଟନ ଦାସ ନିଜ ପଦରୁ ଓହରିବାକୁ ସଫା ସଫା ମନା କରିଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୬୩ ରନର ଶୋଚନୀୟ ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେବା ପ୍ରଶ୍ନରେ ସେ କହିଛନ୍ତି ଯେ ,ଏହି ସମୟରେ “ଇସ୍ତଫା ଦେବାର କୌଣସି ମାନେ ନାହିଁ ।”
ଏସୀୟ କ୍ରୀଡ଼ାରେ ବାଂଲାଦେଶର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା। ଶ୍ରୀଲଙ୍କା ବିପକ୍ଷ କାଂସ୍ୟ ପଦକ ମ୍ୟାଚ୍ରେ ଦଳ ଶୋଚନୀୟ ଭାବେ ପରାଜିତ ହୋଇ ଶୂନ୍ୟ ହାତରେ ଘରକୁ ଫେରିଛି। ଏହି ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ଲିଟନ ଦାସଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଦୁର୍ବଳ ରହିଥିଲା, ଯେଉଁଥିରେ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ମାତ୍ର ୨ ଏବଂ ୦ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।
ପ୍ରେସ କନଫରେନ୍ସରେ ନିଜର ଖରାପ ଫର୍ମ ଓ ଦଳର ବିଫଳତାକୁ ଖୋଲାଖୋଲି ସ୍ୱୀକାର କରି ଲିଟନ କହିଛନ୍ତି, ” ମୋର ନିଜସ୍ୱ ପ୍ରଦର୍ଶନ ଆଦୌ ଆଶାଜନକ ନଥିଲା। ଆମେ ସମସ୍ତେ ଏକ ବଡ଼ ଲକ୍ଷ୍ୟ ନେଇ ଏଠାକୁ ଆସିଥିଲୁ ଏବଂ ସେଥିରେ ବିଫଳ ହେବାରୁ ଦୁଃଖ ହେବା ସ୍ବାଭାବିକ। କିନ୍ତୁ କ୍ରିକେଟରେ ଭଲ ଓ ଖରାପ ସମୟ ଆସିଥାଏ। ଗୋଟିଏ ଦିନ ଭଲ ପ୍ରଦର୍ଶନ ହୋଇପାରେ ତ ଅନ୍ୟ ଦିନ ଖରାପ ହୋଇପାରେ। ମାତ୍ର ଏହି ଗୋଟିଏ ପରାଜୟ କାରଣରୁ ଅଧିନାୟକ ପଦରୁ ଇସ୍ତଫା ଦେବାର କୌଣସି କାରଣ ନାହିଁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତୀତରେ ଦଳ ଅନେକ ସଫଳତା ପାଇଛି ଏବଂ ଆଗାମୀ ଦିନରେ ଦଳ ପୁଣି ଦୃଢ଼ ଭାବେ ପ୍ରତ୍ୟାବର୍ତ୍ତନ କରିବ। ଦଳର ସମସ୍ୟାଗୁଡ଼ିକୁ ସୁଧାରିବା ପାଇଁ ସମସ୍ତ ଖେଳାଳି ଏକାଠି କାମ କରିବାର ଆବଶ୍ୟକତା ରହିଛି। ପ୍ରଶଂସକ ଏବଂ କ୍ରିକେଟ ବୋର୍ଡ ପକ୍ଷରୁ କ୍ରମାଗତ ଚାପ ବଢ଼ୁଥିଲେ ବି, ଲିଟନ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମୟରେ ନେତୃତ୍ୱ ନେଇ ଦଳକୁ ଆଗକୁ ବଢ଼ାଇବା ତାଙ୍କର ମୁଖ୍ୟ ପ୍ରାଥମିକତା, ଇସ୍ତଫା ଦେବା ନୁହେଁ।

