ଭୁବନେଶ୍ବର: ପାଖେଇ ଆସିଲାଣି ଦୁର୍ଗା ପୂଜା। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ। ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ୱର। ଆଉ ଏଠାରେ ଅନ୍ୟତମ ବ୍ୟବସାୟିକ କେନ୍ଦ୍ର ବାପୁଜୀ ନଗର ଅଞ୍ଚଳରେ ଆଗାମୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମା’ଙ୍କ ଆରାଧନା ପାଇଁ ଆକର୍ଷଣୀୟ ତୋରଣ ନିର୍ମାଣ ହେଉଛି, ମାତ୍ର ମୁଣ୍ଡ ଉପରେ ପୂଜା ଥିବାବେଳେ ଖାଲ ଖମାରେ ଭର୍ତ୍ତି ତଥା ବିପର୍ଯ୍ୟସ୍ତ ରାସ୍ତା ଉପରେ ତୋରଣ ବାନ୍ଧିବାକୁ ପଡ଼ିଛି। ସ୍ଥାନୀୟ ବ୍ୟବସାୟୀ ଓ ନାଗରିକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏହାକୁ ଦୃଷ୍ଟିରେ ରଖି ବାପୁଜୀ ନଗର ଅଞ୍ଚଳର ମୁଖ୍ୟ ରାସ୍ତା ଏବଂ କଞ୍ଜରଭେନ୍ସି ଲେନଗୁଡ଼ିକର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟ ତ୍ଵରାନ୍ନିତ କରିବା ଦାବିରେ ବାପୁଜୀ ନଗର ନାଗରିକ କମିଟି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ପହଞ୍ଚି ରାସ୍ତା ଓ କଞ୍ଜରଭେନ୍ସି ଲେନ୍ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ନାଗରିକ କମିଟି ସଦସ୍ୟ ଜୟନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କମିଟି ସଦସ୍ୟ ବିଜେପି ନେତା ପ୍ରଧାନଙ୍କ ସହ ଆରଆଣ୍ଡବି ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭେଟି ମରାମତି ନେଇ ଆଲୋଚନା କରିଥିଲେ।
ବାପୁଜୀ ନଗର ଭୁବନେଶ୍ୱରର ଏକ ପୁରାତନ ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାରୁ ଏଠାରେ ସାଧାରଣ ନାଗରିକ ଓ ଗ୍ରାହକଙ୍କ ସୁବିଧା ପାଇଁ ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧୀକ୍ଷକ ଯନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିଲା। ଏହାପରେ ପୂର୍ତ୍ତ ବିଭାଗ (ଆରଆଣ୍ଡବି ବିଭାଗ)ର ନିର୍ବାହୀ ଯନ୍ତ୍ରୀଙ୍କ ସହ ଜଗନ୍ନାଥ ପ୍ରଧାନ ଓ କମିଟି ସଦସ୍ୟମାନେ ବାପୁଜୀ ନଗରର ସମସ୍ତ ସମସ୍ୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ, ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ବାପୁଜୀ ନଗର ନାଗରିକ କମିଟିର ପରାମର୍ଶ କ୍ରମେ ଖୁବଶୀଘ୍ର ସୁଚାରୁ ରୂପେ ରାସ୍ତା ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ନାଗରିକ କମିଟି ପକ୍ଷରୁ ଅଞ୍ଚଳର ଉନ୍ନତିକରଣ କାର୍ଯ୍ୟ ପୂଜା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ବିଶେଷ ଅନୁରୋଧ କରାଯାଇଛି।

