Latest Odisha News

BREAKING NEWS

୨୦୨୭ ବିଶ୍ୱକପ୍‌ରେ ବୁମରା-ଭୁବନେଶ୍ୱର ଯୋଡ଼ି ? 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ପ୍ରାୟ ୪ ବର୍ଷ ପରେ ସିନିୟର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟି୨୦ ଦଳରେ ସାମିଲ ହେବା ପରେ, ପୂର୍ବତନ ସ୍ପିନର ଆର. ଅଶ୍ୱିନ୍ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଅଶ୍ୱିନ୍‌ଙ୍କ ମତରେ, ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ଜସପ୍ରୀତ ବୁମରା ଏବଂ ଭୁବନେଶ୍ୱର କୁମାର ଏକାଠି ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ନେଇପାରନ୍ତି । ୩୬ ବର୍ଷୀୟ ଭୁବନେଶ୍ୱର ନଭେମ୍ବର ୨୦୨୨ ପରଠାରୁ ଜାତୀୟ ଦଳରୁ ବାହାରେ ଥିଲେ । ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରି ସେ ପୁଣି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୦୨୫ ଓ ୨୦୨୬ ଆଇପିଏଲ ସିଜନ୍‌ରେ ସେ ମୋଟ ୪୫ଟି ୱିକେଟ୍ ନେଇଥିଲେ । ୨୦୨୬ ସିଜନ୍‌ରେ ସେ ୨୮ଟି ୱିକେଟ୍ ନେଇ ଆରସିବିକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଅଶ୍ୱିନ କହିଛନ୍ତି ଭୁବନେଶ୍ୱରଙ୍କ ପାଖରେ ଯେଉଁଭଳି ଦକ୍ଷତା ଅଛି, ସେ ଦଳ ପାଇଁ ଆହୁରି ଅନେକ କିଛି କରିପାରିଥାନ୍ତେ । ଯଦି ଇଞ୍ଜୁରୀ ଏବଂ ସମୟ ତାଙ୍କ ସାଥ୍ ଦେଇଥାନ୍ତା, ତେବେ ସେ ବୁମରାଙ୍କ ଭଳି ସବୁ ଫର୍ମାଟ୍‌ର ଶ୍ରେଷ୍ଠ ବୋଲର  ହୋଇପାରିଥାନ୍ତେ ।  ଅଶ୍ୱିନ୍ ତାଙ୍କର ସ୍ୱିଙ୍ଗ୍ ବୋଲିଂ, ନିମ୍ନକ୍ରମ ବ୍ୟାଟିଂ ଏବଂ ଫିଲ୍ଡିଂର ଭୂୟସୀ ପ୍ରଶଂସା କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍‌ରେ ଭାରତୀୟ ବୋଲରମାନେ ଅଧିକ ରନ୍ ବ୍ୟୟ କରିଥିବାରୁ, ଭୁବିଙ୍କ ଅଭିଜ୍ଞତା ଦଳ ପାଇଁ ଏକ “ଫିକ୍ସଡ୍ ଡିପୋଜିଟ୍” ଭଳି କାମ କରିବ ବୋଲି ଅଶ୍ୱିନ୍ କହିଛନ୍ତି । ଅକ୍ଟୋବର ୨୨ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ଟିକିଆ ଟି୨୦ ସିରିଜ୍‌ରେ ଯଦି ଭୁବନେଶ୍ୱର ନିଜର ଫିଟ୍‌ନେସ୍ ଏବଂ ସ୍ୱିଙ୍ଗ୍ ଦେଖାଇପାରିବେ, ତେବେ ତାଙ୍କୁ ଦିନିକିଆ ଦଳକୁ ଫେରିବାରୁ କେହି ଅଟକାଇ ପାରିବେ ନାହିଁ ।

 

Leave A Reply

Your email address will not be published.