କାବୁଲ: ଉତ୍ତର ଆଫଗାନିସ୍ତାନର ଜୋଜଜାନ ପ୍ରଦେଶରେ ତାଲିବାନ ପ୍ରଶାସନ ପୁଣିଥରେ ନିଜର କଠୋର ନିୟମ ଜାହିର କରିଛି। ସଙ୍ଗୀତ ଓ ମନୋରଞ୍ଜନ ଉପରେ କଟକଣା ଲଗାଇବା ଅଭିଯାନର ଭାଗ ସ୍ୱରୂପ ସେଠାକାର ନୈତିକତା ମନ୍ତ୍ରଣାଳୟର ଅଧିକାରୀମାନେ ଜବତ ହୋଇଥିବା ୬୫ରୁ ଅଧିକ ବାଦ୍ୟଯନ୍ତ୍ରକୁ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଦେଇଛନ୍ତି।
ଜୋଜଜାନ ପ୍ରଦେଶର ନୈତିକତା ପ୍ରସାର ଓ ନିବାରଣ ମନ୍ତ୍ରଣାଳୟର ମୁଖପାତ୍ର ମୁହିବୁଲ୍ଲାହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଦେଶର ରାଜଧାନୀ ଶେବରଘାନରେ ନିୟମିତ ଯାଞ୍ଚ ସମୟରେ ଏହିସବୁ ବାଦ୍ୟଯନ୍ତ୍ରଗୁଡ଼ିକୁ ଜବତ କରାଯାଇଥିଲା।
ଅଗଷ୍ଟ ୨୦୨୧ରେ କ୍ଷମତାକୁ ଫେରିବା ପରଠାରୁ ତାଲିବାନ ଆଫଗାନିସ୍ତାନରେ ସଙ୍ଗୀତ ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଇଛି । ନିଜର ସ୍ୱତନ୍ତ୍ର ଇସଲାମିକ ଆଇନ ଶାସନ ଆଳରେ ସେମାନେ ବିବାହ ଉତ୍ସବ, ଗାଡ଼ି ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ସଙ୍ଗୀତ ପରିବେଷଣ ଉପରେ କଡ଼ା କଟକଣା ଜାରି କରିଛନ୍ତି। ଅନେକ ସମୟରେ ବିବାହ ମଣ୍ଡପ, ଦୋକାନ ଓ କଳାକାରଙ୍କଠାରୁ ବାଦ୍ୟଯନ୍ତ୍ର ଛଡ଼ାଇ ନେଇ ଜାଳିଦେବାର ଚିତ୍ର ସାମ୍ନାକୁ ଆସୁଛି* । ଏହା ବ୍ୟତୀତ ସଙ୍ଗୀତ ପରିବେଷଣ ଓ ଶୁଣିବା ଅଭିଯୋଗରେ ଅନେକ ସାଧାରଣ ନାଗରିକ ଏବଂ କଳାକାରଙ୍କୁ ଗିରଫ କରାଯିବା ସହ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ସୂଚନା ମିଳିଛି।
ସାଂସ୍କୃତିକ ଓ ନାଗରିକ ସ୍ୱାଧୀନତା ହରାଇ ଆଫଗାନିସ୍ତାନ ଏବେ ବିଶ୍ୱର ଏକମାତ୍ର ଦେଶ ପାଲଟିଛି, ଯେଉଁଠାରେ ସଙ୍ଗୀତ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ। ଏହା ସେମାନଙ୍କର ୧୯୯୬ରୁ ୨୦୦୧ ମସିହାର କଳା ଶାସନକୁ ପୁନର୍ବାର ମନେ ପକାଇଦେଉଛି, ଯେତେବେଳେ ସିନେମା, ଟିଭି ଓ ସଙ୍ଗୀତ ସମ୍ପୂର୍ଣ୍ଣ ବ୍ୟାନ ଥିଲା। ଏହାକୁ ନେଇ ମିଳିତ ଜାତିସଂଘ ଓ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

