ଭୁବନେଶ୍ୱର: ବୁଧବାର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା। ଆଜି ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ୍। ଆଜି ପ୍ରାର୍ଥିପତ୍ର ଦାଖଲ ହେବ। ହାତରେ କମ୍ ସମୟ ଥିବାରୁ ନିଜ ନିଜ ସପକ୍ଷରେ ପିଲାଙ୍କୁ ଟାଣିବାକୁ ଚାଲିଛି କସରତ। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍କୁ ରାଜନୀତି ଫେରିଥିବାରୁ କ୍ଲାସ୍ରୁମ୍ରୁ ହଷ୍ଟେଲ ସବୁଠି କୋଳାହଳ। କ୍ୟାମ୍ପସରେ ନିର୍ବାଚନ ନାମାଙ୍କନ ପୂର୍ବରୁ କ୍ଲାସ୍ରୁମ୍ କ୍ୟାମ୍ପେନ୍କୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଆଶାୟୀ ପ୍ରାର୍ଥୀମାନେ।
ପ୍ରଚାରରେ ଲାଗିପଡ଼ିଲେଣି ଆଶାୟୀ ପ୍ରାର୍ଥୀ। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ। ସେହିଭଳି ୩ଟି ବିଶ୍ୱବିଦ୍ୟାଳୟ ଓ ୨୦୨ଟି ମହାବିଦ୍ୟାଳୟରେ ଚୟନ ପଦ୍ଧତିରେ ବାଛିବେ ଛାତ୍ରନେତା । କ୍ୟାମ୍ପସ୍ରେ ଚକ୍ଲେଟ୍, ବିରିୟାନୀ, ପୁସିଂକାର୍ଡ ବାଣ୍ଟି, ମିଠା ଖୁଆଇ, କେକ କାଟି ଛାତ୍ରଛାତ୍ରୀଙ୍କ ସମର୍ଥନ ଲୋଡ଼ିଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ମୌଳିକ ସୁବିଧା, ଭିତ୍ତିଭୂମି, କ୍ୟାମ୍ପସରେ ସୁରକ୍ଷା, ହଷ୍ଟେଲ ସମସ୍ୟାର ସମାଧାନ, ଜେନ୍ଜି ପ୍ରମୁଖ ପ୍ରସଙ୍ଗ ପାଲଟିବ । ଆସନ୍ତା ୧୫ ତାରିଖରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡିକରେ ଭୋଟ୍ ହେବ।
ଅନ୍ୟପଟେ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ନିର୍ବାଚନୀ ତାତି ଦେଖିବାକୁ ମିଳିଲାଣି। ହିଂସା ସହ କ୍ୟାମ୍ପସ ଅଶାନ୍ତ ହୋଇପଡ଼ିଛି। ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ଼ ହୋଇଛି। ଫଳରେ ନିର୍ବାଚନ ବାତିଲ କରାଯାଇଛି। ଏତିକି ନୁହେଁ ଭଦ୍ରକ ସ୍ୱୟଂଶାସିତ କଲେଜରେ ପଥର ମାଡ଼ ସହ କାଚ ବୋତଲ ପିଙ୍ଗାଯାଇଛି। ରାଜଧାନୀରେ ଦେବରାୟ କଲେଜର ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ସହ ଗୋଡ଼ାଇ ଗୋଡ଼ାଇ ହଣାକଟା ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି।

