ମୁମ୍ବାଇ: ଗୁରୁବାର ସକାଳେ ୭୫ ବର୍ଷ ବୟସରେ ନାନା ପାଟେକରଙ୍କ ଦେହାନ୍ତ ହୋଇଛି। ଗୋଆରେ ତାଙ୍କ ଘରେ ହୃଦଘାତରେ ପ୍ରାଣ ହରାଇଥିଲେ। ହୃତଘାତର ପ୍ରାୟ ୪୫ ମିନିଟ୍ ପାଇଁ ତାଙ୍କୁ CPR କରାଯାଇଥିଲା, କିନ୍ତୁ ସେ ଆଉ ଫେରିନଥିଲେ। ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ଅଣାଯାଇଥିଲା, ଯେଉଁଠାରେ ଗତକାଲି ରାତିରେ ଡୋଞ୍ଜେ ଗାଁରେ ପୂର୍ଣ୍ଣ ରାଷ୍ଟ୍ର ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅଭିନେତା ଜ୍ୟାକି ଶ୍ରଫ୍ ଏବଂ ନିର୍ଦ୍ଦେଶକ ଅନିଲ ଶର୍ମା ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ନାନାଙ୍କୁ ଶେଷ ବିଦାୟ ଦେଇଥିଲେ। ବିଳମ୍ବିତ ରାତିରେ ପୁଣେର ଡୋଞ୍ଜେ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ। ହଜାର ହଜାର ପ୍ରଶଂସକ ଏବଂ ଚଳଚ୍ଚିତ୍ର ଜଗତର କଳାକାରଙ୍କ ଗହଣରେ ନାନା ପାଟେକରଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ତାଙ୍କ ଇଚ୍ଛା ଅନୁସାରେ ତାଙ୍କ ଫାର୍ମହାଉସରେ ହିଁ ଜୁଇ ଜଳିଥିଲା। ପୁଅ ମଲ୍ହାର ପାଟେକର ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ‘ନାନା ସାହେବ ଅମର ରହେ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ। ଗତକାଲି ସକାଳେ ହୃଦଘାତ ଯୋଗୁଁ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ନିଜର ଦମଦାର ଅଭିନୟ, ସ୍ପଷ୍ଟବାଦୀ ଶୈଳୀ ଓ ସଂଳାପ ପ୍ରକ୍ଷେପଣ ପାଇଁ ହିନ୍ଦୀ ଏବଂ ମରାଠୀ ସିନେମାରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିଜର କାଳଜୟୀ ଅଭିନୟ ପାଇଁ ସେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ସଦା ଅମର ରହିବେ।

