Latest Odisha News

BREAKING NEWS

CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ

ନୂଆଦିଲ୍ଲୀ: SIR ବିରୋଧରେ ଦିଲ୍ଲୀରେ ହାଇଡ୍ରାମା ଚାଲିଛି। ୧୫୦୦ରୁ ଅଧିକ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ CJP ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି।

ଦିଲ୍ଲୀରେ SIR ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ବିରୋଧ ଅଧିକ ତେଜିଛି। ଅକ୍ଟୋବର ୧୦ରେ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ ଘୋଷଣା କରାଯାଇଥିବା ବେଳେ ପୋଲିସ ଏହାକୁ ଅନୁମତି ଦେଇନଥିଲା। ତଥାପି ପ୍ରତିବାଦ ପାଇଁ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଏକାଠି ହେବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି।

ସେହିପରି ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ଦିଲ୍ଲୀ ପୋଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି। ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି।

ରିପୋର୍ଟ ଅନୁସାରେ, CJP ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ସମେତ ୧୫୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। ଟଲଷ୍ଟୟ ରୋଡ୍‌ରେ କିଛି ପ୍ରତିବାଦକାରୀ ହଙ୍ଗାମା କରିବା ପରେ ପୋଲିସ ସେମାନଙ୍କୁ ଘଉଡ଼ାଇଥିଲା। କନଟ୍ ପ୍ଲେସ୍‌ରେ ମଧ୍ୟ ପ୍ରତିବାଦକାରୀମାନେ ବାରମ୍ବାର ଏକାଠି ହେବାରୁ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ମୁମ୍ବାଇରେ ମଧ୍ୟ CJP ସମର୍ଥନରେ ପ୍ରତିବାଦ କରୁଥିବା ବଞ୍ଚିତ ବହୁଜନ ଆଘାଡ଼ିର କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଖବର ମିଳିଛି।

ସୁରକ୍ଷା ପାଇଁ ଦିଲ୍ଲୀରେ ୨୬ ହଜାରରୁ ଅଧିକ ପୋଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ ହୋଇଛନ୍ତି। ୩୦୦ରୁ ଅଧିକ CCTV କ୍ୟାମେରା ଲଗାଯାଇଥିବା ବେଳେ ଜନ୍ତରମନ୍ତରର ୪ କିଲୋମିଟର ପରିଧିରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିବା ରିପୋର୍ଟ କହୁଛି। ୪୫ଟି ମେଟ୍ରୋ ଷ୍ଟେସନ୍‌ରେ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ହୋଇଥିବା ସହ ଟ୍ରେନ୍ ବାତିଲ୍ ହୋଇଥିବା ମଧ୍ୟ ସୂଚନା ରହିଛି। ଦିଲ୍ଲୀକୁ ଆସୁଥିବା ରାସ୍ତା, ରେଳ ଷ୍ଟେସନ୍ ଓ ହୋଟେଲ୍‌ଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।

 

Leave A Reply

Your email address will not be published.