Latest Odisha News

BREAKING NEWS

ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନ୍‌ର ପ୍ରଥମ ସଭାପତି ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନ୍ (ଆଇୟୁଏସ୍‍ଏଫ୍‍)ର ପ୍ରଥମ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ଫେଡେରେସନ୍‌ର ପ୍ରଥମ ବାର୍ଷିକ କାର୍ଯ୍ୟକାରିଣୀ ସଭାରେ ସର୍ବସମ୍ମତି କ୍ରମେ ସେ ମନୋନୀତ ହୋଇଛନ୍ତି। ଏହି ନୂତନ ଦାୟିତ୍ୱ ସହ ଦେଶର ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍‌ଙ୍କୁ ଉଚ୍ଚସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କ ଭୂମିକା ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି।

ସଭାପତି ଭାବେ ନିର୍ବାଚିତ ହେବା ପରେ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଅଚ୍ୟୁତ ସାମନ୍ତ ଭାରତରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ଦେଶରେ କ୍ରୀଡ଼ାର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ସମସ୍ତ ଅଂଶୀଦାର ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ବିଶ୍ୱବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ପାଇଁ ତାଙ୍କର ଏହି ଦୀଘର୍କାଳୀନ ଅବଦାନକୁ ବିଚାରକୁ ନେଇ ସଂଘ ତାଙ୍କୁ ଏହାର ପ୍ରଥମ ସଭାପତି ଭାବେ ମନୋନୀତ କରିଛି।

ବିଶ୍ୱର ବିଭିନ୍ନ ଦେଶରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଘମାନ ରହିଛି । ମାତ୍ର ଭାରତରେ ଏହା ନଥିଲା । ପ୍ରଥମ ଥର ଭାରତରେ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାକୁ ଏକ ସୁସଂଗଠିତ ଢାଞ୍ଚାରେ ଆଗେଇ ନେବା ଲକ୍ଷ୍ୟରେ ଏହି ସଂଘ ଗଠନ କରାଯାଇଛି । ଅଭିଜ୍ଞ କ୍ରୀଡ଼ାବିତ୍‍ ଓ କ୍ରୀଡ଼ାପ୍ରେମୀ ଏଭଳି ଏକ ସଂଘ ଗଠନ କରିବାକୁ ପ୍ରୟାସ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏହି ସଂଘକୁ ଅନୁମୋଦନ ଦେଇଛନ୍ତି । ଏଥିରେ ଭାରତର ରାଜ୍ୟର କ୍ରୀଡ଼ାସଂଘର ୨ ଜଣ ଲେଖାଏଁ ସଦସ୍ୟ ଏଥିରେ ସଦସ୍ୟ ଥିବା ବେଳେ ୧୫ ଜଣ ଅଫିସ ବିୟରର ଅଛନ୍ତି । ଫେଡେରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍ପୋର୍ଟସ ୟୁନିଭରସିଟି (ଫିସୁ) ସହ ଏହା ଅନୁବନ୍ଧିତ ହେବ।

ଭାରତରେ ଥିବା ୧୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବା ଦିଗରେ ଏହି ସଂଘ କାର୍ଯ୍ୟ କରିବ । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତ୍‍ଙ୍କ ଯୋଗଦାନ, ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍‍ଙ୍କୁ ଅଂଶଗ୍ରହଣ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମୋଟାମୋଟି ଉପରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) କ୍ରୀଡ଼ାର ବିକାଶ ଦିଗରେ ଯାହା କରୁଥିଲା ଏବେ ଆଇୟୁଏସ୍‍ଏଫ୍‍ ସେହି କାମ କରିବ । ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଉଚ୍ଚମାନର କ୍ରୀଡ଼ାବିତ୍ ଗଢ଼ିତୋଳିବା ଏହି ଫେଡେରେସନ୍‌ର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ଦେଶରେ କ୍ରୀଡ଼ାର ବିକାଶ ଓ ଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଅଧିକ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ସଂଘ କାର୍ଯ୍ୟ କରିବ। ଏହି ସଂଘକୁ ଅନୁମୋଦନ ଦେଇଥିବାରୁ ସେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଚ୍ୟୁତ ସାମନ୍ତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘର ବିଭିନ୍ନ ପଦପଦବୀରେ ରହିବା ସହ ସମ୍ମାନିତ ହୋଇଛନ୍ତି। ପୂର୍ବରୁ ସେ ଭାରତୀୟ ଭଲିବଲ୍‍ ସଂଘର ସଭାପତି ଥିଲେ। ଏବେ ଓଡ଼ିଶା ଭଲିବଲ୍‍ ସଂଘର ସଭାପତି ସହ ଏଫ୍‍ଆଇଭିବି ର ମଧ୍ୟ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ଫିଫା, ଏଫ୍‌ଆଇଭିବି ଓ ଫିଡେ ସହ ସେ ଦୃଢ଼ ସଂପର୍କ ସ୍ଥାପନ କରିଆସିଛନ୍ତି । ଭଲିବଲ୍ ଓ ଚେସ୍‌ର ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଏଫ୍‌ଆଇଭିବି ପକ୍ଷରୁ ଏହାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

୨୦୦୪ ମସିହାରୁ କିଟ୍ ଓ କିସ୍ ମାଧ୍ୟମରେ ସେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପ୍ରୋତ୍ସାହନ ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ଏଠାରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁଛି । ସେଥିପାଇଁ ଏଠାରେ ୨୫୦ରୁ ଅଧିକ କ୍ରୀଡ଼ା କର୍ମଚାରୀ ନିୟୋଜିତ ଅଛନ୍ତି ।

ଏହା ମଧ୍ୟରେ କିଟ୍ ଓ କିସ୍‌ରୁ ୨୪ ଜଣ କ୍ରୀଡ଼ାବିତ୍ ଅଲିମ୍ପିକ୍ସରେ ଓ ୪ ଜଣ ପାରାଲିମ୍ପିଆନ୍ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଜଣେ କ୍ରୀଡ଼ାବିତ୍ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବାବେଳେ ୧୪ ଜଣ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ନିକଟରେ ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ୨୦ତମ ଏସୀୟ କ୍ରୀଡ଼ାରେ କିଟ୍ ଓ କିସ୍‌ର ୫୪ ଜଣ ଛାତ୍ରଛାତ୍ରୀ ଭାରତର ପ୍ରତିନିଧିତ୍ୱ କରିଥିଲେ । ଗୋଟିଏ ଭାରତୀୟ ବିଶ୍ୱବିଦ୍ୟାଳୟରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍‌ଙ୍କ ଅଂଶଗ୍ରହଣ ଏକ ଉଲ୍ଲେଖନୀୟ ସଫଳତା । ଏହି ପ୍ରତିଯୋଗିତାରେ କିଟ୍‍-କିସ୍‍ର କ୍ରୀଡ଼ାବିତ୍‌ମାନେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୧ଟି କାଂସ୍ୟ ସହ ମୋଟ ୨୧ଟି ପଦକ ଜିତିଛନ୍ତି ।

 

Leave A Reply

Your email address will not be published.