ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟରର ନାଙ୍ଗୀ ଟେକ୍ରି ନିକଟରେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ସମେତ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ସୁରକ୍ଷା କର୍ମୀଙ୍କ ସୂଚନାନୁସାରେ, ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ଥାପନ କରାଯାଇଥିବା ଆଣ୍ଟି-ଇନଫିଲ୍ଟ୍ରେସନ ଗ୍ରିଡ୍ (ମାଇନ୍ ଫିଲ୍ଡ) ଅଞ୍ଚଳ ଦେଇ ଏହି ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ହଠାତ୍ ଏକ ମାଇନ୍ ବିସ୍ଫୋରଣ ଘଟିବାରୁ ସମସ୍ତ ଚାରିଜଣ ଆତଙ୍କବାଦୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ନିହତ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଶୀର୍ଷ ଲସ୍କର କମାଣ୍ଡର ମହମ୍ମଦ ଫୈଜାନ ବୋଲି ପରିଚିତ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କ ନାଁ ୱକାସ, ଇସ୍ତିଆକ ଏବଂ ଆସିମ ବୋଲି ଜଣାପଡ଼ିଛି।
ଏହି ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ସେକ୍ଟରରେ ହାଇ ଆର୍ଲଟ୍ ଜାରି କରାଯାଇଛି ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ଓ ସର୍ଚ୍ଚ ଅପରେସନ୍କୁ ଆହୁରି କଡ଼ାକଡ଼ି କରାଯାଇଛି। ଅନ୍ୟ ଏକ ଘଟଣାରେ, ସେନା ପକ୍ଷରୁ ମେନ୍ଧର ସେକ୍ଟରର ବାସୋନୀ ଅଞ୍ଚଳରେ ସୀମା ବେଢ଼ା ନିକଟରୁ ଆଉ ଦୁଇଟି ଲାଗିଥିବା ଲ୍ୟାଣ୍ଡମାଇନ୍ ଜବତ କରାଯାଇ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରାଯାଇଛି।
ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ସୋମବାର ସକାଳେ କ୍ରିଷ୍ଣା ଘାଟି ସେକ୍ଟରର ସାତୱାଲ-ନାକି ଅଞ୍ଚଳରେ ଏକ ସନ୍ଦିଗ୍ଧ ଆଇଇଡି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପରେ ଜଣା ପଡିଥିଲା ଯେ, ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ଦଳ ଏହାର ଶିକାର ହୋଇଛନ୍ତି। ପୂର୍ବରୁ ମଧ୍ୟ ଏହି ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ପାଇଁ ସୁରକ୍ଷା ବାହିନୀ ସତର୍କ ରହିଆସିଛି। ସେନା ପକ୍ଷରୁ ସୀମାରେ ଲଗାତାର ସର୍ଚ୍ଚ ଅପରେସନ୍ ଜାରି ରହିଛି ଏବଂ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ପ୍ରତିହତ କରିବାକୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

