Latest Odisha News

BREAKING NEWS

Chile’s Desert Bloom: ଟୋକିଓରେ ୩୫ ଦିନ ଧରି ବର୍ଷା, ମରୁଭୂମିରେ ଫୁଲର ଚାଦର! ଏଲ୍ ନିନୋ ବଦଳାଉଛି କି ବିଶ୍ବ ପାଣିପାଗ?

ନୂଆଦିଲ୍ଲୀ: ବିଶ୍ୱରେ ପାଣିପାଗର ଅଜବ ରୂପ! କେଉଁଠି ଲଗାତାର ୩୫ ଦିନ ଧରି ବର୍ଷା, ତ ଆଉ କେଉଁଠି ଶୁଖିଲା ମରୁଭୂମିରେ ଫୁଟିଛି ଶହ ଶହ ପ୍ରଜାତିର ଫୁଲ। ଜାପାନର ରାଜଧାନୀ ଟୋକିଓରୁ ଆରମ୍ଭ କରି ଦକ୍ଷିଣ ଆମେରିକାର ଚିଲି ପର୍ଯ୍ୟନ୍ତ ପାଣିପାଗର ଏଭଳି ଅସ୍ୱାଭାବିକ ପରିବର୍ତ୍ତନ ଏବେ ଚର୍ଚ୍ଚାରେ। ଏହା ପଛରେ ଏଲ୍ ନିନୋର ପ୍ରଭାବ ରହିଛି କି? ଏହା ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ।

ଚିଲିର ଆଟାକାମା ମରୁଭୂମି ବିଶ୍ୱର ସବୁଠାରୁ ଶୁଷ୍କ ମରୁଭୂମି ମଧ୍ୟରୁ ଅନ୍ୟତମ। ହେଲେ ଏଠାରେ ବର୍ଷା ପରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ। ସେପ୍ଟେମ୍ବରରେ ପ୍ରବଳ ବର୍ଷା ପରେ ମାଟି ତଳେ ରହିଥିବା ଫୁଲର ମଞ୍ଜି ଗଜା ହୋଇଥିଲା। ଫଳରେ ପ୍ରାୟ ୨୦୦ ପ୍ରଜାତିର ଫୁଲ ଫୁଟି ମରୁଭୂମିର ଅନେକ ଅଞ୍ଚଳକୁ ରଙ୍ଗିନ କରିଦେଇଛି। ଯେଉଁଠି ଦିନେ ଦୂର ଦୂର ପର୍ଯ୍ୟନ୍ତ ଚାହିଁଲେ କେବଳ ବାଲି ନଜର ଆସୁଥିଲା, ସେଠି ବର୍ତ୍ତମାନ ସତେ ଯେପରି ଫୁଲର ଚାଦର ବିଛା ଯାଇଛି! ପର୍ଯ୍ୟଟକମାନେ ଏହି ମନୋରମ ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରଶାନ୍ତ ମହାସାଗର ଓ ଆଣ୍ଡିଜ୍ ପର୍ବତମାଳା ମଧ୍ୟରେ ଅବସ୍ଥିତ ଏହି ମରୁଭୂମି ଚିଲିର ଉତ୍ତର ଉପକୂଳ ଅଞ୍ଚଳରେ ପ୍ରାୟ ୧,୬୦୦ କିଲୋମିଟର ଯାଏଁ ବ୍ୟାପିଛି।

ରିପୋର୍ଟ ଅନୁସାରେ, ଜୁଲାଇ ଓ ଅଗଷ୍ଟ ମାସରେ ଚିଲିର ବିଭିନ୍ନ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଥିଲା। କେତେକ ସ୍ଥାନରେ ବର୍ଷା ପରିମାଣ ୧୮୦ ମିଲିମିଟରରୁ ଅଧିକ ରହିଥିଲା। ଏହି ବର୍ଷା ମରୁଭୂମିରେ ଫୁଲ ଫୁଟିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା।

ସେପଟେ ଜାପାନର ରାଜଧାନୀ ଟୋକିଓରେ ଲଗାତାର ବର୍ଷା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏଠାରେ କ୍ରମାଗତ ୩୫ ଦିନ ଧରି ବର୍ଷା ରେକର୍ଡ କରାଯାଇଛି। ୧୮୮୬ ମସିହା ପରଠାରୁ ଏହାକୁ ଦୀର୍ଘତମ ବର୍ଷା ଅବଧି ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୧୯ରେ ଲଗାତାର ୩୩ ଦିନ ବର୍ଷା ହୋଇଥିଲା।

ସେପ୍ଟେମ୍ବର ମାସରେ ଟୋକିଓର କେନ୍ଦ୍ରୀୟ ଅଞ୍ଚଳରେ ସାଧାରଣ ଅପେକ୍ଷା ପ୍ରାୟ ତିନିଗୁଣ ଅଧିକ ବର୍ଷା ହୋଇଥିଲା। ମାସର ୧୪ ଦିନ ସୂର୍ଯ୍ୟଙ୍କ ଦର୍ଶନ ମଧ୍ୟ ମିଳିନଥିଲା। ଲଗାତାର ବର୍ଷା ଯୋଗୁଁ ପନିପରିବା ଦର ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଟୋକିଓର ଏହି ବର୍ଷା କେବଳ ଏଲ୍ ନିନୋ ଯୋଗୁଁ ହୋଇଛି ବୋଲି କହିବା ଠିକ୍ ହେବ ନାହିଁ। ଋତୁକାଳୀନ ବର୍ଷା ପ୍ରଣାଳୀ, ଝଡ଼ ଓ ଲଘୁଚାପ ଭଳି ଅନ୍ୟ ପାଣିପାଗ ପ୍ରକ୍ରିୟା ମଧ୍ୟ ଏଥିରେ ଭୂମିକା ନେଇପାରେ।

କ’ଣ ଏହି ଏଲ୍ ନିନୋ?

ଅଲ୍ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗରେ ସମୁଦ୍ର ଜଳର ତାପମାତ୍ରା ସାଧାରଣଠାରୁ ବଢ଼ିଯିବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁ ଘଟଣା। ଏହା ସମୁଦ୍ରର ତାପମାତ୍ରା ସହ ବାୟୁମଣ୍ଡଳୀୟ ପରିସ୍ଥିତିକୁ ପ୍ରଭାବିତ କରେ। ଫଳରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ତାପମାତ୍ରାର ସାଧାରଣ ଧାରା ବଦଳିପାରେ। କେଉଁଠି ମରୁଡ଼ି ଦେଖାଦେଇପାରେ, ତ ଆଉ କେଉଁଠି ଅଧିକ ବର୍ଷା ହୋଇପାରେ।

ବିଶ୍ୱ ପାଣିପାଗ ସଂଗଠନ (WMO)ର ଆକଳନ ଅନୁସାରେ, ଏଲ୍ ନିନୋ ଡିସେମ୍ବର ଆଖପାଖରେ ନିଜର ସର୍ବୋଚ୍ଚ ପ୍ରଭାବରେ ପହଞ୍ଚିପାରେ ଏବଂ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବାର ଆଶଙ୍କା ରହିଛି। ତେବେ ଏହା ୧୯୫୦ ପରଠାରୁ ସବୁଠାରୁ ଶକ୍ତିଶାଳୀ ଏଲ୍ ନିନୋ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେବ ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହି ଅସ୍ୱାଭାବିକ ପାଣିପାଗ ଘଟଣାଗୁଡ଼ିକ ମଧ୍ୟରେ ଏଲ୍ ନିନୋର ପ୍ରକୃତ ଭୂମିକା ଓ ଏହାର ଆଗାମୀ ପ୍ରଭାବ ଉପରେ ବିଜ୍ଞାନୀମାନଙ୍କ ନଜର ରହିଛି।

Leave A Reply

Your email address will not be published.