ଭୁବନେଶ୍ୱର: ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନା ନିମନ୍ତେ ୨୮୪.୦୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଦ୍ୱାରା ଅଭିଭାବକ ଓ ପିଲାମାନ୍ୟଙ୍କ ପାଠପଢ଼ା ଖର୍ଚ୍ଚ ହ୍ରାସ ପାଇବ ଏବଂ ସମସ୍ତ ପିଲା ମାଗଣାରେ ବହି ପାଇପାରିବେ।
ସୂଚନା ଥାଉକି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିବା ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଏହି ବୈଠକରେ ମତ୍ସ୍ୟଚାଷ, ଶିକ୍ଷା ଏବଂ ସହରାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ କେତେକ ବଡ଼ ପଦକ୍ଷେପ ନିଆଯାଇଛି।
ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନାରେ ୨୮୪.୦୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଏହାଦ୍ୱାରା ଆନୁମାନିକ ୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେବେ। ଏହାସହିତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ କ୍ୟାଡର ମାନ୍ୟତା ପ୍ରଦାନ ସହ ସେମାନଙ୍କ ପଦୋନ୍ନତି ପାଇଁ ମଧ୍ୟ କ୍ୟାବିନେଟ୍ ପକ୍ଷରୁ ମୋହର ବାଜିଛି।

