India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
ଚାନ୍ଦିପୁର: ଶତ୍ରୁ ଯଦି ଭାରତର ଅସ୍ତ୍ରଶସ୍ତ୍ର ପରୀକ୍ଷାର ଗୁପ୍ତ ତଥ୍ୟ ଜାଣିବାକୁ ଚେଷ୍ଟା କରେ, ତେବେ କ’ଣ ହେବ? ଗୁପ୍ତ ତଥ୍ୟ ଚୋରି କରିବାକୁ ଉଦ୍ୟମ କଲେ ଧରାପଡ଼ିପାରିବ ଅନୁପ୍ରବେଶକାରୀ! ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏଭଳି ଏକ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ ହୋଇଛି। ଓଡ଼ିଶାର ଚାନ୍ଦିପୁରରେ କ୍ୱାଣ୍ଟମ୍ କି ଡିଷ୍ଟ୍ରିବ୍ୟୁସନ୍ ବା QKD ପ୍ରଯୁକ୍ତିର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO। ଏହା ଭାରତର ପ୍ରତିରକ୍ଷା ଯୋଗାଯୋଗକୁ ଅଧିକ ସୁରକ୍ଷିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ।
DRDO ପକ୍ଷରୁ ବୁଧବାର ଏହି ସଫଳ ପରୀକ୍ଷଣ ସମ୍ପର୍କରେ ଘୋଷଣା କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟ (PXE)ର ଡାଇନାମିକ୍ ଟେଷ୍ଟ ରେଞ୍ଜରେ ଚାଲୁଥିବା ଯୋଗାଯୋଗ ନେଟୱର୍କରେ ଏହାର ପରୀକ୍ଷଣ କରାଯାଇଥିଲା। ଏହି ପ୍ରଯୁକ୍ତି ଦ୍ୱାରା ତୋପ ଓ ବଖତରବନ୍ଦ ଯୁଦ୍ଧାସ୍ତ୍ରର ପରୀକ୍ଷଣ ସମୟରେ ସଂଗ୍ରହ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ରିଅଲ୍ ଟାଇମ୍ ଡାଟାକୁ ଅଧିକ ସୁରକ୍ଷିତ ଭାବେ ଆଦାନପ୍ରଦାନ କରାଯାଇପାରିବ।
ତେବେ କ’ଣ ଏହି କ୍ୱାଣ୍ଟମ୍ କବଚ? କେମିତି ଭାରତର ତଥ୍ୟକୁ ଏହା ସୁରକ୍ଷା ଦେବ? ତେବେ ସରଳ ଭାଷାରେ କହିଲେ, ଇଣ୍ଟରନେଟ୍ କିମ୍ବା ଡିଜିଟାଲ୍ ଯୋଗାଯୋଗରେ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏନ୍କ୍ରିପ୍ସନ୍ ବ୍ୟବହାର ହୁଏ। ଏଥିରେ ତଥ୍ୟକୁ ଗୁପ୍ତ ରଖିବା ପାଇଁ ଡିଜିଟାଲ୍ ଚାବି ଆବଶ୍ୟକ ପଡ଼େ। କ୍ୱାଣ୍ଟମ୍ କି ଡିଷ୍ଟ୍ରିବ୍ୟୁସନ୍ ବା QKD ହେଉଛି ଏପରି ଏକ ପ୍ରଯୁକ୍ତିବିଦ୍ୟା, ଯାହା କ୍ୱାଣ୍ଟମ୍ ଫିଜିକ୍ସର ବିଶେଷ ସିଦ୍ଧାନ୍ତ ବ୍ୟବହାର କରି ଏହି ଗୁପ୍ତ ଡିଜିଟାଲ୍ ଚାବି ତିଆରି ଓ ଆଦାନପ୍ରଦାନରେ ସହାୟତା କରେ। ଏହାର ଏକ ବିଶେଷ ଦିଗ ହେଉଛି, ଯୋଗାଯୋଗ ସମୟରେ କେହି ଅନଧିକୃତ ବ୍ୟକ୍ତି ତଥ୍ୟ ଚୋରି କରିବାକୁ କିମ୍ବା ଯୋଗାଯୋଗରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ତାହାର ସଙ୍କେତ ମିଳିପାରେ। ଫଳରେ ଗୁପ୍ତ ତଥ୍ୟର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସହାୟତା ମିଳିବ। ତେବେ ଏହାର ଅର୍ଥ ନୁହେଁ ଯେ ସବୁ ପ୍ରକାର ସାଇବର ଆକ୍ରମଣକୁ ଏହା ନିଜେ ରୋକିଦେବ।
DRDO ନିଜର ମାଇକ୍ରୋ ଇଲେକ୍ଟ୍ରୋନିକ୍ ଡିଭାଇସେସ୍, କମ୍ପ୍ୟୁଟେସନାଲ୍ ସିଷ୍ଟମ୍ସ ଆଣ୍ଡ ସାଇବର ସିକ୍ୟୁରିଟି (MCC) କ୍ଲଷ୍ଟର ଅଧୀନରେ ଉତ୍ପାଦନ ସହଯୋଗୀ ଟ୍ୟାକ୍ବିଟ୍ ଲ୍ୟାବ୍ସ ସହ ମିଶି ଏହି QKD ପ୍ଲାଟଫର୍ମର ଡିଜାଇନ୍ ଓ ବିକାଶ କରିଛି। ଚାନ୍ଦିପୁରର ଲାଇଭ୍ ନେଟୱର୍କରେ ଏହାର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ କ୍ୱାଣ୍ଟମ୍ ପ୍ରଯୁକ୍ତିର ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ତେବେ କ୍ୱାଣ୍ଟମ୍ ରେଜିଷ୍ଟାଣ୍ଟ ସୁରକ୍ଷାଠାରୁ ଏହା କେମିତି ଅଲଗା? କ୍ୱାଣ୍ଟମ୍ କି ଡିଷ୍ଟ୍ରିବ୍ୟୁସନ୍ ଏବଂ କ୍ୱାଣ୍ଟମ୍-ରେଜିଷ୍ଟାଣ୍ଟ ଆଲଗୋରିଦମ୍ର ଉଦ୍ଦେଶ୍ୟ ଡାଟା ସୁରକ୍ଷା ହେଲେ ମଧ୍ୟ ଉଭୟର କାର୍ଯ୍ୟପ୍ରଣାଳୀ ଭିନ୍ନ। QKD କ୍ୱାଣ୍ଟମ୍ ଫିଜିକ୍ସର ସିଦ୍ଧାନ୍ତ ଆଧାରରେ ଗୁପ୍ତ ଚାବିର ସୁରକ୍ଷିତ ଆଦାନପ୍ରଦାନରେ ସହାୟତା କରେ। ଅନ୍ୟପକ୍ଷରେ, କ୍ୱାଣ୍ଟମ୍-ରେଜିଷ୍ଟାଣ୍ଟ ଆଲଗୋରିଦମ୍ ଗଣିତଭିତ୍ତିକ ପଦ୍ଧତି ବ୍ୟବହାର କରେ, ଯାହା ଭବିଷ୍ୟତର ଶକ୍ତିଶାଳୀ କ୍ୱାଣ୍ଟମ୍ କମ୍ପ୍ୟୁଟରର ଆକ୍ରମଣକୁ ସହ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଏ।
ଭବିଷ୍ୟତରେ କ୍ୱାଣ୍ଟମ୍ ଯୋଗାଯୋଗ ପ୍ରଯୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ରରେ ସୀମିତ ରହିବ ନାହିଁ। ବ୍ୟାଙ୍କିଂ, ଆର୍ଥିକ ସେବା ଓ ଟେଲିକମ୍ କ୍ଷେତ୍ରରେ ମଧ୍ୟ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ପାଇଁ ଏହା ଉପଯୋଗୀ ହୋଇପାରେ। ଫାଇବର୍ ଅପ୍ଟିକ୍ କେବୁଲ୍ ବିଛାଇବା କଷ୍ଟକର ଅଞ୍ଚଳରେ ମୁକ୍ତ ପରିବେଶ ଦେଇ ଆଲୋକ ସଙ୍କେତ ପଠାଉଥିବା ଫ୍ରି-ସ୍ପେସ୍ QKD ମଧ୍ୟ ଏକ ବିକଳ୍ପ ହୋଇପାରେ। ତେବେ ଏହାର ସଫଳ ବ୍ୟବହାର ପ୍ରଯୁକ୍ତି ଓ ପରିବେଶ ଉପରେ ନିର୍ଭର କରିବ।
ଏହାସହ DRDO ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ମିଶି ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିର ବିକାଶ ପାଇଁ କାମ କରୁଛି। DRDO-ଇଣ୍ଡଷ୍ଟ୍ରି-ଏକାଡେମିଆ ସେଣ୍ଟର୍ସ ଅଫ୍ ଏକ୍ସଲେନ୍ସ କାର୍ଯ୍ୟକ୍ରମ ଅଧୀନରେ IIT, IISc ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ୧୫ଟି ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ସ୍ଥାପନ କରାଯାଇଛି।
ଅନ୍ୟପଟେ DRDO ନିଜର ଅସ୍ତ୍ରଶସ୍ତ୍ର କ୍ଷମତା ବୃଦ୍ଧି ଉପରେ ମଧ୍ୟ କାମ କରୁଛି। ଅସ୍ତ୍ର-୧ କ୍ଷେପଣାସ୍ତ୍ରର ରେଞ୍ଜ୍ ପ୍ରାୟ ୧୦୦ କିଲୋମିଟର ଥିବାବେଳେ ଏହାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ବଢ଼ାଇବା ଏବଂ ଭବିଷ୍ୟତରେ ୩୦୦ କିଲୋମିଟରରୁ ଅଧିକ ରେଞ୍ଜ୍ର କ୍ଷମତା ବିକାଶ ନେଇ ମଧ୍ୟ ରିପୋର୍ଟ ଆସିଛି।

