Latest Odisha News

BREAKING NEWS

ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…

କଟକ: କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ଡଃ ସତ୍ୟଜିତ ନାଏକ ଆଜି କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦୁର୍ଗାପୂଜା ସୁରକ୍ଷା ସମ୍ପର୍କିତ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ।

କେନ୍ଦ୍ରାଞ୍ଚଳ ଅଧୀନ ବିଭିନ୍ନ ଜିଲ୍ଲାରେ ମୋଟ ୧,୨୪୩ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବାବେଳେ ମା’ ଶାରଳା, ମା’ ଚର୍ଚ୍ଚିକା, ମା’ ଭଟ୍ଟାରିକା ଏବଂ ମା’ ସିର୍ଲୋଙ୍କ ପରି ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ମଧ୍ୟ ବିଶେଷ ଭିଡ଼ ହେଉଛି। ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ହୋମ୍‌ଗାର୍ଡଙ୍କୁ ମୁତୟନ କରାଯାଇଛି।

ଏ ସମ୍ପର୍କିତ ଏକ ବୈଠକରେ ଭିଡ଼ ନିୟନ୍ତ୍ରଣ ପାଇଁ ପୂଜା ମଣ୍ଡପ ଓ ରାବଣପୋଡ଼ି ସ୍ଥଳର ପ୍ରବେଶ ଓ ପ୍ରସ୍ଥାନ ପଥର ସଠିକ୍ ଆକଳନ ଏବଂ ପରିଚାଳନା କରିବା। ଟ୍ରାଫିକ୍ ଜାମ୍‌କୁ ଏଡ଼ାଇବା ସହ ଯାନବାହନ ଓ ଜନସାଧାରଣଙ୍କ ଯାତାୟାତ ସୁଗମ କରିବା ନେଇ ଆଲୋଚନା ହୋଇଥିଲା।

ସେହିପରି ଆଲୋକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ସିସିଟିଭି ନିରୀକ୍ଷଣ, ମୀନା ବଜାର ଓ ରାମ ଦୋଳିର ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଥିଲା।

ଆଇଜି ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ସତର୍କ ରହିବା ସହ ଅନ୍ୟ ସରକାରୀ ବିଭାଗ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ ବ୍ୟବସ୍ଥାର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିସର୍ଜନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ପ୍ରତି ଦୁଇ ଘଣ୍ଟାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

 

Leave A Reply

Your email address will not be published.