ଇସଲାମାବାଦ୍: ଆନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ହଲଚଲ ସୃଷ୍ଟି କରି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜର ପାକିସ୍ତାନ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଗସ୍ତ ସମୟରେ ମାଳଦ୍ୱୀପ ଏବଂ ପାକିସ୍ତାନ ମଧ୍ୟରେ ମୋଟ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସହଯୋଗ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକ ମଧ୍ୟ ସାମିଲ ରହିଛି। ଭାରତ ମହାସାଗରରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ଏବଂ ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ *ମାଳଦ୍ୱୀପ କ’ଣ କ୍ରମଶଃ ପାକିସ୍ତାନ ପ୍ରଭାବ କ୍ଷେତ୍ର ବା ‘ଅର୍ବିଟ୍’କୁ ପ୍ରବେଶ କରୁଛି?
ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁଇଜ୍ଜୁ ଦୀର୍ଘ ଦିନରୁ ଅଚଳ ହୋଇପଡ଼ିଥିବା ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ ବା ‘ସାର୍କ’ କୁ ଆଉ ଥରେ ନୂଆ ଆରମ୍ଭ କରିବା ପାଇଁ ପୁଣିଥରେ ଜୋରଦାର ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ମାଳଦ୍ୱୀପ ସଦସ୍ୟ ଦେଶଗୁଡ଼ିକ ସହିତ ଆଲୋଚନା କରି ସାର୍କର କାର୍ଯ୍ୟକ୍ରମ ପୁନଃପ୍ରବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛି। ପୂର୍ବରୁ ମଧ୍ୟ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ତତା କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ସାର୍କର ସମ୍ମିଳନୀ ଦୀର୍ଘ ବର୍ଷ ହେବ ବନ୍ଦ ରହିଥିବାବେଳେ ପାକିସ୍ତାନର ଆଚରଣ ଯୋଗୁଁ ଆଞ୍ଚଳିକ ସହଯୋଗ ବାଧାପ୍ରାପ୍ତ ହେଉଛି ବୋଲି ଭାରତ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି। ମୁଇଜ୍ଜୁଙ୍କ ଏହି ନୂତନ ପାକିସ୍ତାନ ଗସ୍ତ ଏବଂ ପ୍ରତିରକ୍ଷା ଚୁକ୍ତି ଆଞ୍ଚଳିକ କୂଟନୈତିକ ସମୀକରଣକୁ ନୂତନ ମୋଡ଼ ଦେଇଛି। ମାଳଦ୍ୱୀପ ଏବଂ ପାକିସ୍ତାନର ବଢ଼ୁଥିବା ପ୍ରତିରକ୍ଷା ସହଯୋଗ ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହେବ। ଏହା ଦ୍ୱାରା ଭାରତ ମହାସାଗରରେ ପାକିସ୍ତାନର ଅନୁପ୍ରବେଶ ବୃଦ୍ଧି ପାଇବ, ଯାହା ଭାରତର ସାମୁଦ୍ରିକ ସୁରକ୍ଷା ଏବଂ ଆଞ୍ଚଳିକ ପ୍ରଭୁତ୍ୱ ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିବ। ଏହା ଭାରତର ନିରାପତ୍ତା ଏବଂ କୂଟନୈତିକ ସମୀକରଣକୁ ଦୁର୍ବଳ କରିପାରେ।

