ଲୁଇସିଆନା: ଆମେରିକାର ଲୁଇସିଆନା ଉପକୂଳ ନିକଟରେ ୨୦ ଏପ୍ରିଲ୍ ୨୦୧୦ରେ ମେକ୍ସିକୋ ଉପସାଗରରେ ବ୍ରିଟିଶ୍ ପେଟ୍ରୋଲିୟମ କମ୍ପାନୀ ଦ୍ୱାରା ପରିଚାଳିତ ତେଲ ଉତ୍ତୋଳନ ପ୍ଲାଟଫର୍ମରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଏହି ବିସ୍ଫୋରଣରେ ୧୧ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ ଏବଂ ୧୭ ଜଣ ଗୁରୁତର ଆହତ ହୋଇଥିଲେ । ୨୦୧୦ରେ ଘଟିଥିବା ଏହି ବିପର୍ୟ୍ୟୟକୁ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ ସମୁଦ୍ରର ଗଭୀରତାରେ ଏହାର କୁପ୍ରଭାବ ଏବେ ମଧ୍ୟ ଜୀବନ୍ତ ରହିଛି। ବିଜ୍ଞାନ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ତେଲ ଲିକ୍ ଦୁର୍ଘଟଣା ପରେ ସମୁଦ୍ରର ଗଭୀରତାରେ ଥିବା ଜୀବଜନ୍ତୁଙ୍କ ସଂଖ୍ୟାରେ ଯେଉଁ ପ୍ରଚଣ୍ଡ ହ୍ରାସ ଘଟିଥିଲା, ତାହା ଏଯାଏଁ ପୂର୍ବସ୍ଥିତିକୁ ଫେରିପାରି ନାହିଁ । ୨୦ ଏପ୍ରିଲ୍ ୨୦୧୦ରେ ଡିପ୍ୱାଟର ହୋରାଇଜନ ନାମକ ତେଲ ଉତ୍ତୋଳନ ପ୍ଲାଟଫର୍ମରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଯାହା ବିପି କମ୍ପାନୀର କାର୍ୟ୍ୟ ସହିତ ଜଡ଼ିତ ଥିଲା । ଏହି ଦୁର୍ଘଟଣାରେ ୧୧ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ ସମୁଦ୍ର ମଧ୍ୟରେ ଥିବା ତେଲ କୂଅରୁ ଅବିରତ ତେଲ ବାହାରି ସମୁଦ୍ରରେ ମିଶିଥିଲା । ଏହି ସମୟରେ ପ୍ରାୟ ୧୩.୪ କୋଟି ଗ୍ୟାଲନ୍ ତେଲ ସମୁଦ୍ରରେ ବ୍ୟାପିଯାଇଥିଲା, ଯାହା ପୃଥିବୀର ସାମୁଦ୍ରିକ ଇତିହାସରୁ ଅନ୍ୟତମ ବଡ଼ ତେଲ ଲିକ୍ ଦୁର୍ଘଟଣା ଭାବେ ପରିଗଣିତ । ବୈଜ୍ଞାନିକମାନେ ମେକ୍ସିକୋ ଉପସାଗରର ସେହି ଅଞ୍ଚଳର ଯାଞ୍ଚ କରିଛନ୍ତି, ଯାହାକୁ ଟ୍ୱାଇଲାଇଟ୍ ଜୋନ କୁହାଯାଏ—ଯେଉଁଠାରେ ସୂର୍ୟ୍ୟଙ୍କ ଆଲୋକ ଅତି କ୍ଷୀଣ ଭାବରେ ପହଞ୍ଚିଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗଭୀର ସମୁଦ୍ରରେ ମାଛଙ୍କ ସଂଖ୍ୟା ୬୩.୫ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ ପାଇଛି । ବିଶେଷକରି ଲାଣ୍ଟର୍ନ ଫିଶର ସଂଖ୍ୟା ପୂର୍ବ ଅପେକ୍ଷା ମାତ୍ର ଏକ ତୃତୀୟାଂଶକୁ ଖସିଆସିଛି । ଚିଙ୍ଗୁଡ଼ି ଏବଂ କ୍ରିଲ୍ ଭଳି କ୍ଷୁଦ୍ର ଜୀବଙ୍କ ସଂଖ୍ୟା ୬୨ ପ୍ରତିଶତ କମିଯାଇଛି, ଯେଉଁଥିରେ ଆଣ୍ଟାର୍କଟିକ୍ କ୍ରିଲ୍ ଭଳି ଜୀବ ୭୨% ,ସ୍କୁଇଡ୍ ଏବଂ ଅକ୍ଟୋପସ୍ ଭଳି ପ୍ରଜାତିର ସଂଖ୍ୟା ୫୯.୭ ପ୍ରତିଶତ କମିଯାଇଛି ।
ଦୁର୍ଘଟଣା ସମୟରେ ତେଲକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୋଇଥିବା କେମିକାଲ୍ କାରଣରୁ ତେଲ ଅତ୍ୟନ୍ତ ଗଭୀର ସ୍ତର ପର୍ୟ୍ୟନ୍ତ ପହଞ୍ଚିଯାଇଥିଲା । ବୈଜ୍ଞାନିକମାନଙ୍କ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେହି ବିଷାକ୍ତ ରାସାୟନିକ ଯୌଗିକଗୁଡ଼ିକ ଏବେ ମଧ୍ୟ ସାମୁଦ୍ରିକ ଜୀବମାନଙ୍କ ଶରୀର ତଥା ଟିସୁରେ ରହିଛି । ଏହି ବିଷାକ୍ତ ପଦାର୍ଥଗୁଡ଼ିକ ଜୀବମାନଙ୍କ ପ୍ରଜନନ କ୍ଷମତା, ଶାରୀରିକ ବିକାଶ ଏବଂ ସାଙ୍ଘାତିକ ଆୟୁଷକୁ ପ୍ରଭାବିତ କରୁଛି । ବୈଜ୍ଞାନିକମାନେ ଜୀବଙ୍କ ସଂଖ୍ୟା ହ୍ରାସ ପଛରେ ପାଣିର ତାପମାତ୍ରା, ଅମ୍ଳଜାନର ସ୍ତର ଏବଂ ଖାଦ୍ୟର ଉପଲବ୍ଧି ଭଳି ସମସ୍ତ ପ୍ରାକୃତିକ କାରଣର ଯାଞ୍ଚ କରିଥିଲେ । କିନ୍ତୁ ସେଥିରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇ ନଥିଲା । ଏହା ସ୍ପଷ୍ଟ ହୋଇଛି ଯେ କେବଳ ଏହି ତେଲ ଲିକ୍ ଦୁର୍ଘଟଣା ଏବଂ ଏହାର ଅବଶିଷ୍ଟ ବିଷାକ୍ତ ପ୍ରଭାବ ହିଁ ଏହି ବିନାଶର ମୁଖ୍ୟ କାରଣ ଅଟେ । ଏହି ପ୍ରଜାତିଗୁଡ଼ିକ ସମୁଦ୍ରର ଖାଦ୍ୟ ଶୃଙ୍ଖଳାର ମୂଳଦୁଆ ହୋଇଥିବାରୁ, ଏଗୁଡ଼ିକର ସଂଖ୍ୟା ହ୍ରାସ ପାଇବା ସମଗ୍ର ସାମୁଦ୍ରିକ ପରିବେଶକୁ ବିପଦରେ ପକାଇଛି । ଗବେଷକମାନଙ୍କ ମତରେ, ଆଗାମୀ ଦିନରେ ଗଭୀର ସମୁଦ୍ର ମଧ୍ୟରେ ତେଲ ଉତ୍ତୋଳନ ଏବଂ ସାମୁଦ୍ରିକ ଖଣି ଖନନ କାର୍ୟ୍ୟ କରିବା ପୂର୍ବରୁ ଏହି ବିପଦଗୁଡ଼ିକୁ ଗମ୍ଭୀରତାର ସହ ବିଚାର କରିବା ଜରୁରୀ ।

