US Strike Iran: ଆଜି ଇରାନ ଉପରେ ଆକ୍ରମଣ କରିବେ କି ଟ୍ରମ୍ପ? ‘ହୋଇପାରେ ଆକ୍ରମଣ’ କହି ବିଶ୍ୱକୁ ଦୋହଲାଇଲେ ଆମେରିକା ରାଷ୍ଟ୍ରପତି!
ନୂଆଦିଲ୍ଲୀ: ଇରାନ ଉପରେ ପୁଣି ଆକ୍ରମଣ କରିବ ଆମେରିକା? ଆଜି ହିଁ ଆରମ୍ଭ ହୋଇପାରେ ସାମରିକ ଅଭିଯାନ? ନା ଯୁଦ୍ଧ ବଦଳରେ ହେବ କୌଣସି ବଡ଼ ଶାନ୍ତି ଚୁକ୍ତି? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ଏଭଳି ପ୍ରଶ୍ନକୁ ନେଇ ଅନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଇରାନ ଉପରେ ରବିବାର, ଅକ୍ଟୋବର ୨୫ରେ ଆକ୍ରମଣ ହୋଇପାରେ ବୋଲି ସଙ୍କେତ ଦେବା ସହ ଟ୍ରମ୍ପ ଏକ ବଡ଼ ଶାନ୍ତି ଚୁକ୍ତିର ସମ୍ଭାବନାକୁ ମଧ୍ୟ ଖୋଲା ରଖିଛନ୍ତି।
ଶନିବାର ଫ୍ଲୋରିଡାରେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ଟ୍ରମ୍ପଙ୍କୁ ଇରାନ ଉପରେ ପୁଣି ଆକ୍ରମଣ ହେବ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, “ଆପଣମାନେ କ’ଣ ଭାବୁଛନ୍ତି, ମୁଁ ଆପଣଙ୍କୁ ଏକଥା କହିଦେବି? ହୁଏତ ଆସନ୍ତାକାଲି…ଆକ୍ରମଣ ହେବାର ସମ୍ଭାବନା ଅଛି। ଏକ ବଡ଼, ସୁନ୍ଦର ଚୁକ୍ତି ବି ହେବାର ସମ୍ଭାବନା ମଧ୍ୟ ଅଛି।”
ଏହାର ଗୋଟିଏ ଦିନ ପୂର୍ବରୁ ଫ୍ଲୋରିଡାରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ଇରାନ ବିରୋଧରେ ଆଉ ଏକ ସାମରିକ ଅଭିଯାନ ଆରମ୍ଭ କରିବାର ଚେତାବନୀ ଦେଇଥିଲେ। “ଆମେ ପୁଣି ଏକ ଛୋଟ ‘ଏପିକ୍ ଫ୍ୟୁରି’ ଅଭିଯାନ ଆରମ୍ଭ କରିପାରୁ” ବୋଲି ସେ କହିଥିଲେ। ତେବେ ‘ଏପିକ୍ ଫ୍ୟୁରି’ ହେଉଛି ଇରାନ ବିରୋଧରେ ଆମେରିକାର ସାମରିକ ଅଭିଯାନକୁ ଦିଆଯାଇଥିବା ନାମ। ଟ୍ରମ୍ପଙ୍କ ଏହି ଚେତାବନୀ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ଓ ଇସ୍ରାଏଲ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଇରାନ ଉପସାଗର ଅଞ୍ଚଳରେ ଥିବା ସମୁଦ୍ର ତଳର ଯୋଗାଯୋଗ କେବୁଲକୁ ଟାର୍ଗେଟ କରିପାରେ ବୋଲି ଚେତାବନୀ ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ ଆମେରିକାର ନୌସେନା ଓ ସାମରିକ ବାହିନୀ ଚମତ୍କାର କାମ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଇରାନର ସମସ୍ତ ଯୁଦ୍ଧବିମାନକୁ ଅକାମୀ କରିଦିଆଯାଇଛି ଏବଂ ୨୫୯ଟି ଜାହାଜ ସମୁଦ୍ରରେ ବୁଡ଼ିଯାଇଛି। ଇରାନରେ ଏବେ ରେକର୍ଡ ମୁଦ୍ରାସ୍ଫୀତି ରହିଥିବା ମଧ୍ୟ ସେ କହିଛନ୍ତି।
ଯୁଦ୍ଧ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ମଧ୍ୟ ଟ୍ରମ୍ପ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଇରାନ ଚୁକ୍ତି କଲେ ତାହାକୁ ପାଳନ କରିବ କି ନାହିଁ, ସେନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି, “ସେମାନେ ଚୁକ୍ତି କରିବାକୁ ଚାହୁଁଛନ୍ତି। କିନ୍ତୁ ସମସ୍ୟା ହେଉଛି, ସେମାନେ ଚୁକ୍ତିକୁ ପାଳନ କରିବେ କି?”
ତେବେ ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାରୁ ରୋକିବା ବୋଲି ଟ୍ରମ୍ପ ପୂର୍ବରୁ କହିଆସିଛନ୍ତି। ତେଣୁ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଲା ରହିଥିଲେ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପକୁ ସେ ଏଡ଼ାଇ ଦେଇନାହାନ୍ତି। ଏପଟେ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ପ୍ରସଙ୍ଗକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଆମେରିକା ନିଜର ନୌସାମରିକ ଅବରୋଧ ହଟାଇଲେ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଇରାନ ପାକିସ୍ତାନୀ ମଧ୍ୟସ୍ଥଙ୍କ ଜରିଆରେ ଏକ ନୂଆ ପ୍ରସ୍ତାବ ଦେଇଥିବା ଖବରକୁ ତେହେରାନ ଖଣ୍ଡନ କରିଛି। ଇରାନର ରିଭଲ୍ୟୁସନାରୀ ଗାର୍ଡ ସହ ଜଡ଼ିତ ସମ୍ବାଦ ସଂସ୍ଥା ‘ତସ୍ନିମ୍’ ଏହି ରିପୋର୍ଟକୁ ମିଥ୍ୟା ଓ ମନଗଢ଼ା ବୋଲି କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ତୈଳ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ଏଠାରେ ଉତ୍ତେଜନା ବଢ଼ିଲେ ବିଶ୍ୱ ତୈଳ ଯୋଗାଣ ଓ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହି ଭିତରେ ଟ୍ରମ୍ପଙ୍କ ବୟାନରୁ ଆକ୍ରମଣର ସମ୍ଭାବନା ଥିବା ସଙ୍କେତ ମିଳୁଛି, କିନ୍ତୁ ଆକ୍ରମଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା ନିଶ୍ଚିତ ହୋଇନାହିଁ। ଗୋଟିଏ ପଟେ ଇରାନକୁ ପୁଣି ଆକ୍ରମଣର ଚେତାବନୀ, ଅନ୍ୟପଟେ ‘ବଡ଼ ଓ ସୁନ୍ଦର ଚୁକ୍ତି’ର ସମ୍ଭାବନା, ଏହି ଦୁଇଟି ବିକଳ୍ପ ଏବେ ଆମେରିକାର ପରବର୍ତ୍ତୀ ପଦକ୍ଷେପକୁ ନେଇ ଅନିଶ୍ଚିତତା ବଢ଼ାଇଛି।

