Latest Odisha News

BREAKING NEWS

India Inviting Pakistan: ମୋଦୀଙ୍କ ନିମନ୍ତ୍ରଣରେ ପାକିସ୍ତାନରେ ଛନକା! ମନ୍ତ୍ରୀ ଆସିଲେ ଅଡୁଆ, ନଆସିଲେ ବି ବଢ଼ିବ ଚାପ!

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଭାରତ ଆସିପାରନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ। ଏଥିପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ନିମନ୍ତ୍ରଣ ପଠାଯାଇଛି। ହେଲେ ଏହି ନିମନ୍ତ୍ରଣକୁ ନେଇ ପାକିସ୍ତାନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମନ୍ତ୍ରୀ ଭାରତ ଆସିଲେ ଘରୋଇ ରାଜନୀତିରେ ପ୍ରଶ୍ନ ଉଠିପାରେ, ଆଉ ନଆସିଲେ ବହୁରାଷ୍ଟ୍ରୀୟ ମଞ୍ଚକୁ ଅସମ୍ମାନ କରିବାର ବାର୍ତ୍ତା ଯାଇପାରେ। ଯାହାକୁ ନେଇ ଏବେ ସରଗରମ ହୋଇଛି ପାକିସ୍ତାନ ରାଜନୀତି ।

ନଭେମ୍ବର ୨୦ରୁ ୨୨ ତାରିଖ ଯାଏଁ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଯାଉଛି ‘ଏସ୍‌ସିଓ ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍’। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସଭ୍ୟତା ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଏବଂ ସମ୍ପର୍କକୁ ମଜଭୁତ କରିବା। ଭାରତ ଏସ୍‌ସିଓର ସମସ୍ତ ୧୦ଟି ସଦସ୍ୟ ଦେଶକୁ ନିମନ୍ତ୍ରଣ କରିଛି। ଏଥିରେ ପାକିସ୍ତାନ ମଧ୍ୟ ସାମିଲ ଅଛି।

ଭାରତ ପାକିସ୍ତାନର ଜାତୀୟ ଐତିହ୍ୟ ଓ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ ଖାନ୍ ଖିଚିଙ୍କୁ ନିମନ୍ତ୍ରଣ ପଠାଇଛି। ତେବେ ସେ ଭାରତ ଆସିବେ କି ନାହିଁ, ସେନେଇ ପାକିସ୍ତାନ ପକ୍ଷରୁ ଏଯାଏଁ ସ୍ପଷ୍ଟ କରାଯାଇନାହିଁ। ଯଦି ସେ ଆସନ୍ତି, ତେବେ ୨୦୨୩ରେ ତତ୍କାଳୀନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଗୋଆରେ ଏସ୍‌ସିଓ ବୈଠକରେ ଯୋଗଦେବା ପରେ ଏହା ହେବ ଜଣେ ପାକିସ୍ତାନୀ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ।

ତେବେ ଭାରତ ପକ୍ଷରୁ ପାକିସ୍ତାନକୁ ନିମନ୍ତ୍ରଣ ଯିବା ପରେ ପ୍ରତିକ୍ରିୟା ରଖି ପାକିସ୍ତାନର ଭୂ-ରାଜନୈତିକ ବିଶେଷଜ୍ଞ କମର ଚିମା କହିଛନ୍ତି, ଭାରତର ନିମନ୍ତ୍ରଣକୁ ନେଇ ପାକିସ୍ତାନ ଅତ୍ୟଧିକ ଆଶା ରଖିବା ଉଚିତ ନୁହେଁ। ତାଙ୍କ ମତରେ, ଏହି ଗସ୍ତରୁ ଭାରତ-ପାକିସ୍ତାନ ସମ୍ପର୍କରେ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା କମ୍‌। ସେ କହିଛନ୍ତି, ଏହା କୌଣସି ଦ୍ୱିପାକ୍ଷିକ ବୈଠକ ନୁହେଁ। ଏସ୍‌ସିଓ କିମ୍ବା ବ୍ରିକ୍ସ ଭଳି ବହୁରାଷ୍ଟ୍ରୀୟ ମଞ୍ଚ ଭାରତ-ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ କରିବାର ସାମର୍ଥ୍ୟ ରଖେ ନାହିଁ। ଔରଙ୍ଗଜେବ ଖାନ୍ ଖିଚି ପାକିସ୍ତାନର କୌଣସି ବଡ଼ ରାଜନୈତିକ ନେତା ନୁହନ୍ତି, ତେଣୁ ତାଙ୍କ ଗସ୍ତରୁ ବଡ଼ ସଫଳତା ଆଶା କରିବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି। କମର ଚିମା ଆହୁରି କହିଛନ୍ତି, ପାକିସ୍ତାନକୁ ଏହି ବହୁରାଷ୍ଟ୍ରୀୟ ମଞ୍ଚରେ ଯୋଗଦେବା ଉଚିତ। ତେବେ ଭାରତ ପ୍ରକୃତରେ ଆଲୋଚନା ପାଇଁ ଗମ୍ଭୀର ଥିଲେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)କୁ ଦୁର୍ବଳ କରିନଥାନ୍ତା ବୋଲି ସେ ଯୁକ୍ତି ରଖିଛନ୍ତି।

ତେବେ ଭାରତ ତ ନିମନ୍ତ୍ରଣ ପଠାଇଦେଲା, ହେଲେ ଏବେ ପାକିସ୍ତାନ ସରକାରଙ୍କ ପାଇଁ ମୁଖ୍ୟ ପ୍ରଶ୍ନ ହେଉଛି, ମନ୍ତ୍ରୀଙ୍କୁ ଭାରତ ପଠାଇବେ ନା ନାହିଁ? ପଠାଇଲେ ଘରୋଇ ସ୍ତରରେ ସମାଲୋଚନାର ସାମ୍ନା କରିବାକୁ ପଡ଼ିପାରେ। ନପଠାଇଲେ ଏକ ବହୁରାଷ୍ଟ୍ରୀୟ ମଞ୍ଚରେ ଯୋଗଦେବାର ସୁଯୋଗକୁ ଏଡ଼ାଇବାର ବାର୍ତ୍ତା ଯାଇପାରେ। ତେବେ ପାକିସ୍ତାନ ଏହି ନିମନ୍ତ୍ରଣକୁ କିପରି ଗ୍ରହଣ କରୁଛି, ତାହା ଉପରେ ଏବେ ନଜର ରହିଛି।

Leave A Reply

Your email address will not be published.