Latest Odisha News

BREAKING NEWS

ବିଦେଶୀ ଭୋଟରଙ୍କୁ ନେଇ ରାଜନୀତି ଗରମ: ୬ ରାଜ୍ୟର ତଥ୍ୟ ରଖି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: ଭୋଟର ତାଲିକାର ବିଶେଷ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ କଂଗ୍ରେସ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ଜୋରଦାର ଆକ୍ରମଣ କରିଛି। ୬ଟି ରାଜ୍ୟରେ ପ୍ରାୟ ୧୦ କୋଟି ଭୋଟରଙ୍କ ଯାଞ୍ଚ ପରେ ମାତ୍ର ୧,୬୦୦ ଜଣ ବିଦେଶୀ ନାଗରିକ ଚିହ୍ନଟ ହେବା ଘଟଣାକୁ ଭିତ୍ତି କରି କଂଗ୍ରେସ ଏହାକୁ ଭାରତୀୟ ଭୋଟରଙ୍କୁ ମତାଧିକାରରୁ ବଞ୍ଚିତ କରିବା ପାଇଁ ଏକ ‘ଷଡ଼ଯନ୍ତ୍ର’ ବୋଲି ଅଭିହିତ କରିଛି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୋଟର ତାଲିକା ଶୁଦ୍ଧିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ‘3D’ (Detect, Delete and Deport) ର ଲକ୍ଷ୍ୟ ରଖିଥିଲେ। ମାତ୍ର ଏତେ ବଡ଼ ପ୍ରକ୍ରିୟା ପରେ ମାତ୍ର ୧,୬୦୦ ବିଦେଶୀ ନାଗରିକ ମିଳିବା ଦର୍ଶାଉଛି ଯେ ସରକାର ଦେଶକୁ ବିଭ୍ରାନ୍ତ କରୁଛନ୍ତି। ପ୍ରକୃତ ଉଦ୍ଦେଶ୍ୟ ଅନୁପ୍ରବେଶକାରୀଙ୍କୁ ଖୋଜିବା ନୁହେଁ, ବରଂ ଲକ୍ଷ ଲକ୍ଷ ବୈଧ ଭାରତୀୟ ଭୋଟରଙ୍କ ନାମ ତାଲିକାରୁ କାଟି ସେମାନଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେବା ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, SIR ପ୍ରକ୍ରିୟାକୁ ସ୍ଥଗିତ ରଖିବା ଏବଂ ନିର୍ବାଚନ କମିଶନଙ୍କ ‘ECINET’ ପୋର୍ଟାଲରେ ସଂଶୋଧନ କରିବାକୁ ଦାବି କରାଯାଇଛି। ନିର୍ବାଚନ କମିଶନଙ୍କ ବିଶେଷ ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିବା ବା ଜାରି ରହିଥିବା ୬ଟି ରାଜ୍ୟ- କର୍ଣ୍ଣାଟକ, ଝାଡ଼ଖଣ୍ଡ, ମେଘାଳୟ, କେରଳ, ଗୋଆ ଏବଂ ମିଜୋରାମ।

କର୍ଣ୍ଣାଟକ: ସବୁଠାରୁ ଅଧିକ ୭୧୬ ଜଣ ବିଦେଶୀ ନାଗରିକ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ବେଙ୍ଗାଲୁରୁ ନର୍ଥରୁ ୫୪୫ ଜଣ ନେପାଳୀ ନାଗରିକ ସାମିଲ ଅଛନ୍ତି। ଏଠାରେ ପ୍ରାୟ ୯୯.୭ ଲକ୍ଷ ନାମ ତାଲିକାରୁ କଟାଯାଇଛି।

  • କେରଳ: ପ୍ରାୟ ୫୦୦ ଜଣ ବିଦେଶୀ ନାଗରିକ ଚିହ୍ନଟ ହୋଇଛନ୍ତି
  • ଗୋଆ: ୪୧୯ ଜଣ ବିଦେଶୀ ପାସପୋର୍ଟଧାରୀଙ୍କ ନାମ ଭୋଟର ତାଲିକାରେ ମିଳିଛି
  • ଝାଡ଼ଖଣ୍ଡ: ମାତ୍ର ୩ ଜଣ ଆଫଗାନିସ୍ତାନ ନାଗରିକ ଚିହ୍ନଟ ହୋଇଛନ୍ତି
  • ମିଜୋରାମ: ଏଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ

ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ, ସେମାନେ ରାଜ୍ୟଗୁଡ଼ିକୁ ବିଦେଶୀ ନାଗରିକଙ୍କ ପାଇଁ କୌଣସି ପୃଥକ ଡାଟା ରଖିବାକୁ କହିନଥିଲେ, ସେଥିପାଇଁ ଅନେକ ରାଜ୍ୟ (ଯେପରିକି ଓଡ଼ିଶା, ଦିଲ୍ଲୀ, ପଞ୍ଜାବ) ଏହାର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ରେକର୍ଡ କରିନାହାନ୍ତି।

Leave A Reply

Your email address will not be published.