Latest Odisha News

BREAKING NEWS

Glacial Lake Outburst: ଭୁଟାନରେ ଫାଟିଲା ଗ୍ଲାସିୟର ହ୍ରଦ, ଭାରତରେ ବନ୍ୟା ଆତଙ୍କ! ୧୦ ହଜାର ଲୋକ ସ୍ଥାନାନ୍ତର, ସାଇରନ୍ ବଜାଇ ଲୋକଙ୍କୁ ସତର୍କ କଲା ପ୍ରଶାସନ…

ନୂଆଦିଲ୍ଲୀ: ଭୁଟାନରେ ଗ୍ଲାସିୟର ହ୍ରଦ ଫାଟିବା ପରେ ଏବେ ଭାରତର ପଶ୍ଚିମବଙ୍ଗ ଓ ଆସାମରେ ବନ୍ୟା ଆଶଙ୍କା ଦେଖାଦେଇଛି। ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ଅତି ସମ୍ବେଦନଶୀଳ ଶିନ୍ତାଫୁ ହ୍ରଦରୁ ଗୁରୁବାର ରାତିଠାରୁ ପ୍ରବଳ ବେଗରେ ପାଣି ବାହାରିବା ଆରମ୍ଭ ହୋଇଛି। ଏହି ପାଣି ମୋଫୁ ନଦୀ ଦେଇ ପଶ୍ଚିମବଙ୍ଗର ସଂକୋଶ ନଦୀ ଆଡ଼କୁ ପ୍ରବାହିତ ହେଉଛି। ଫଳରେ ଉତ୍ତର ବଙ୍ଗର ଏକାଧିକ ଜିଲ୍ଲାରେ ହଠାତ୍ ବନ୍ୟା ଆସିବାର ଆଶଙ୍କା ବଢ଼ିଛି।

ବନ୍ୟା ଆଶଙ୍କାକୁ ଦେଖି ପଶ୍ଚିମବଙ୍ଗର ଅଲିପୁରଦ୍ୱାର ଜିଲ୍ଲାରୁ ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ସଂକୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ମନ୍ତ୍ରୀ ନିଶିଥ ପ୍ରମାଣିକ ଓ ମନୋଜ କୁମାର ଓରାଁ ଅପିଲ୍ କରିଛନ୍ତି। ଏହାସହ ଜରୁରୀକାଳୀନ ପରିଚାଳନା ବିଭାଗ, NDRF ଓ SDRF ଟିମ୍‌କୁ ଆଲର୍ଟ କରାଯାଇଛି।

ଭୁଟାନରୁ ପାଣି ଆସୁଥିବା ଖବର ପରେ ପଶ୍ଚିମବଙ୍ଗ ଓ ଆସାମର ବିଭିନ୍ନ ଗାଁରେ ସାଇରନ୍ ବଜାଯାଉଛି। ସଂକୋଶ ନଦୀ ଏବଂ ଏହାର ଉପନଦୀଗୁଡ଼ିକର ଜଳଗ୍ରହଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଏହି ନଦୀ ଭୁଟାନରୁ ଭାରତକୁ ପ୍ରବେଶ କରି ଉତ୍ତର ପଶ୍ଚିମବଙ୍ଗ ଓ ଆସାମର କିଛି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ଜଳସ୍ତର ହଠାତ୍ ବଢ଼ିଲେ ନଦୀକୂଳର ବସତି, ଚାଷଜମି, ପଶୁସମ୍ପଦ ଓ ଭିତ୍ତିଭୂମି ପ୍ରଭାବିତ ହୋଇପାରେ।

ଭାରତ ପକ୍ଷରୁ ଜାରି ସ୍ୱତନ୍ତ୍ର ସତର୍କ ସୂଚନାରେ କୁହାଯାଇଛି ଯେ, ପୁନାତ୍ସାଙ୍ଗଛୁ ନଦୀର ଉପରମୁଣ୍ଡରେ ହଠାତ୍ ବନ୍ୟା ଆସିବାରୁ ପଶ୍ଚିମବଙ୍ଗର ଅଲିପୁରଦ୍ୱାର ଓ ଆସାମର ଧୁବ୍ରି ଜିଲ୍ଲାରେ ଜଳସ୍ତର ଦ୍ରୁତ ବଢ଼ିପାରେ। ବନ୍ୟାଜଳ ଘଟଣାର ୬ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିବା ଆଶଙ୍କା ରହିଥିବା ଆଡଭାଇଜରିରେ ଉଲ୍ଲେଖ ହୋଇଥିଲା। ଅଲିପୁରଦ୍ୱାର, ଜଳପାଇଗୁଡ଼ି ଓ ଦାର୍ଜିଲିଂ ସମେତ ଉତ୍ତରବଙ୍ଗର ବିଭିନ୍ନ ଅଞ୍ଚଳରେ ସତର୍କତା ଜାରି ହୋଇଛି। ଆସାମର ଧୁବ୍ରି ଜିଲ୍ଲାରେ ମଧ୍ୟ ବନ୍ୟା ଆଶଙ୍କା ରହିଛି। କୁଚବିହାର ଜିଲ୍ଲାର ତୁଫାନଗଞ୍ଜ ଓ ବକ୍ସିରହାଟରେ NDRF ଏବଂ SDRF ଟିମ୍ ମୁତୟନ କରାଯାଇଛି।

ଦାର୍ଜିଲିଂର ବିଜେପି ସାଂସଦ ରାଜୁ ବିଷ୍ଟା ମଧ୍ୟ ଏକ ଭିଡିଓ ଜାରି କରି ଦାର୍ଜିଲିଂ ପାହାଡ଼, ତରାଇ ଓ ଡୁଆର୍ସ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ପଶ୍ଚିମବଙ୍ଗର ବନମନ୍ତ୍ରୀ ତଥା କୁମାରଗ୍ରାମ ବିଧାୟକ ମନୋଜ କୁମାର ଓରାଁ ମଧ୍ୟ ନଦୀକୂଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଛନ୍ତି। ଭୁଟାନରେ ହ୍ରଦ ଫାଟିବା ପରେ ଏବେ ଭାରତର ସୀମାନ୍ତ ଅଞ୍ଚଳରେ ପ୍ରଶାସନ ସଜାଗ ରହିଛି। ନଦୀର ଜଳସ୍ତର ଉପରେ ନଜର ରଖାଯାଇଥିବାବେଳେ ଲୋକଙ୍କୁ ପ୍ରଶାସନର ସତର୍କ ସୂଚନା ମାନିବାକୁ କୁହାଯାଇଛି।

Leave A Reply

Your email address will not be published.