Latest Odisha News

BREAKING NEWS

ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଲଘୁଚାପ, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆସନ୍ତାଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସହ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସହ ବାଦଲ ଆଚ୍ଛାଦିତ ହୋଇଛି। ଗତକାଲି ତୁଳନାରେ ବୃଦ୍ଧି ପାଇଛି ଜଡିତ ବାଦଲ ଆଚ୍ଛାଦନ। ଲଘୁଚାପ ଘନୀଭୂତ ପ୍ରକ୍ରିୟା ଅଧିକ ହେଉଥିବା ସୂଚନା ରହିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେଉଛି।

ଓଡ଼ିଶା ଉପରେ ପ୍ରଭାବ:

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଲର୍ଟ ଜାରି ହୋଇଥିବା ଜିଲ୍ଲା ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି। ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାର ଜନସାଧାରଣ ଓ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଆମେରିକା ଭିତ୍ତିକ ‘ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍’ (GFS) ମଡେଲ୍ ଅନୁଯାୟୀ, ଏହି ସିଷ୍ଟମ୍ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ଏହି ଆକଳନ ଅନୁସାରେ, ଉକ୍ତ ସିଷ୍ଟମ୍ ନଭେମ୍ବର ୧ କିମ୍ବା ୨ ତାରିଖ ଆଖପାଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରିପାରେ ଏବଂ ପରେ ଉପକୂଳ ଦେଇ ବାଂଲାଦେଶ ଆଡ଼କୁ ଅଗ୍ରସର ହୋଇପାରେ।

GFS ମଡେଲ୍ ଅନୁଯାୟୀ ବାୟୁମଣ୍ଡଳୀୟ ଚାପରେ ବଡ଼ ଧରଣର ହ୍ରାସ ଘଟିପାରେ, ଯାହାର ମୂଲ୍ୟ ୯୭୭ ରୁ ୯୦୦ hPa (ହେକ୍ଟୋପାସ୍କାଲ୍) ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ‘ୟୁରୋପିଆନ୍ ସେଣ୍ଟର ଫର୍ ମିଡିୟମ୍-ରେଞ୍ଜ ୱେଦର୍ ଫୋରକାଷ୍ଟସ୍’ (ECMWF) ମଡେଲ୍ ଅନୁଯାୟୀ, ସୃଷ୍ଟି ହେବାକୁ ଥିବା ଏହି ସିଷ୍ଟମ୍ ନଭେମ୍ବର ୨ ତାରିଖ ଆଖପାଖରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ।

 

Leave A Reply

Your email address will not be published.