ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲ ସୋସିଆଲ ମିଡିଆ ଟ୍ରୋଲରଙ୍କୁ ନିଜ ଶୈଳୀରେ କଡ଼ା ଜବାବ ଦେଇଛନ୍ତି । ଗୋଟିଏ ଭାଇରାଲ ରିଲ୍କୁ ନେଇ ସୋସିଆଲ ମିଡିଆରେ କିଛି ଲୋକଙ୍କ ଖରାପ କମେଣ୍ଟ ଓ ଅଯଥା ଟ୍ରୋଲିଂର ଶିକାର ହେବା ପରେ ମଧ୍ୟ ସେ ଆଦୌ ଭୟଭୀତ ହୋଇନାହାନ୍ତି । ଏହି ନକାରାତ୍ମକତାକୁ ପଛରେ ପକାଇ ସେ ପୁଣି ଥରେ ନିଜର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଶ୍ରେୟଙ୍କା ନିଜର ଏହି ନୂଆ ଭିଡିଓ ମାଧ୍ୟମରେ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ସେ ଅଯଥା ସମାଲୋଚନା କିମ୍ବା ଟ୍ରୋଲରଙ୍କ ଦ୍ୱାରା ପ୍ରଭାବିତ ହେବାର ନାହାନ୍ତି ।
ନିଜର ଖେଳ ପରି ସୋସିଆଲ ମିଡିଆରେ ମଧ୍ୟ ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ନିଜ ଜୀବନକୁ ଉପଭୋଗ କରିବାକୁ ପସନ୍ଦ କରନ୍ତି । ତାଙ୍କର ଏହି ନୂଆ ଡ୍ୟାନ୍ସ ଭିଡିଓ ସେୟାର ହେବା ପରେ ପ୍ରଶଂସକମାନେ ତାଙ୍କ ଆତ୍ମବିଶ୍ୱାସ ଓ ସାହସିକ ମନୋଭାବକୁ ବେଶ ପ୍ରଶଂସା କରୁଛନ୍ତି । ଶ୍ରେୟଙ୍କା ଜଣେ ଡାହାଣହାତୀ ଅଫ୍-ସ୍ପିନ୍ ବୋଲର ଏବଂ ଆକ୍ରମଣାତ୍ମକ ଅଲରାଉଣ୍ଡର ଅଟନ୍ତି । ସେ ଘରୋଇ କ୍ରିକେଟରେ କର୍ଣ୍ଣାଟକ ଦଳ ପାଇଁ ଖେଳନ୍ତି । ଡିସେମ୍ବର ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଟି୨୦ ଆନ୍ତର୍ଜାତୀୟ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ରିକେଟରେ ପାଦ ଦେଇଥିଲେ ।
