Ganjam District Collector:ଗ୍ରାଉଣ୍ଡରେ ଜିଲ୍ଲାପାଳ…ରନ୍ଧାଖାଦ୍ୟ ବଣ୍ଟନ ବ୍ୟବସ୍ଥାର କଲେ ତଦାରଖ; ନିଜେ ଖାଇଲେ, ସୁବିଧାଅସୁବିଧା ପଚାରି ବୁଝିଲେ
ଛତ୍ରପୁର:ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣି କମୁଛି, ହେଲେ ଦୁର୍ଦ୍ଦଶା କମିବାର ନାଁ ଧରୁନି । ଜିଲାରେ ବନ୍ୟାଜଳ ଧୀରେ ଧୀରେ କମୁଥିବା ବେଳେ ଏବେ ବି ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି। ତେଣୁ ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜାରି ରହିଛି। ତେବେ ଏହି ରିଲିଫ କାର୍ଯ୍ୟର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟାପୀଡ଼ିତଙ୍କୁ ଗୁଣାତ୍ମକ ଓ ପରିଚ୍ଛନ୍ନ ରନ୍ଧା ଖାଦ୍ୟ ଯୋଗାଇଦେବା ସହ ଆବଶ୍ୟକ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳ ଛତ୍ରପୁର ବ୍ଲକର ବଉଳଗାଁ ପଞ୍ଚାୟତ ନିମପଲ୍ଲୀ ଓ ବଉଳଗାଁ ଗାଁରେ ପହଞ୍ଚି ବନ୍ୟାପୀଡ଼ିତଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ନିଜେ ତଦାରଖ କରିଥିଲେ। ଏହା ସହ ନିଜେ ଖାଦ୍ୟ ଖାଇଥିଲେ ଓ ଲୋକଙ୍କ ସହ ମିଶି ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିଥିଲେ ।
ସୂଚନାଥାଉକି,ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଜିଲାର ୩୬୭ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଯେପରି ଖାଦ୍ୟ ସାମଗ୍ରୀର ଅଭାବ ନ ହୁଏ, ସେଥିପାଇଁ ସମସ୍ତ ସ୍ଥାନରେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଯୋଜନା କରାଯାଇଛି।
ଏପଟେ ପ୍ରବଳ ବର୍ଷାର ସମ୍ଭାବନା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ଡିଗ୍ରି କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।
