ଭୁବନେଶ୍ୱର: ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ‘ଅର୍ଣ୍ଣବ’ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ନଭେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ।
ଏହି ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବେ। କୃଷି, ଭିତ୍ତିଭୂମି, ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ଜଳ ସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମର୍କରେ ସମୀକ୍ଷା ଓ ଆକଳନ କରିବେ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର ଏହି ଦଳର ନେତୃତ୍ୱ ନେବେ। ଅନ୍ୟମାନଙ୍କ ମଧ୍ୟରେ ପାଟନା ସ୍ଥିତ କୃଷି ଓ କୃଷକ କଲ୍ୟାଣ ବିଭାଗ ଅଧୀନ ‘ଡାଇରେକ୍ଟୋରେଟ୍ ଅଫ୍ ରାଇସ୍ ଡେଭଲପମେଣ୍ଟ’ର ନିର୍ଦ୍ଦେଶକ ଡ. ମାନ ସିଂହ, ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ଉପ-ନିର୍ଦ୍ଦେଶକ (PFS) ରାହୁଲ ଚୌରାସିଆ, ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ଜଳ ଆୟୋଗର ନିର୍ଦ୍ଦେଶକ ଦିଲୀପ କୁମାର ଜେନା, ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ବିଦ୍ୟୁତ୍ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ବିଦ୍ୟୁତ୍ ପ୍ରାଧିକରଣର (CEA) ଉପ-ନିର୍ଦ୍ଦେଶକ କରଣ ସରିନ୍, ଭୁବନେଶ୍ୱର ସ୍ଥିତ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ସୁନୀଲ କୁମାର, ନୂଆଦିଲ୍ଲୀ ସ୍ଥିତ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟର ଅବର ସଚିବ ଅଜୟ କୁମାର ସାହୁ ଏବଂ ହାଇଦ୍ରାବାଦ ସ୍ଥିତ ଇସ୍ରୋ (ISRO) ଅଧୀନ ‘ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର’ର (NRSC) ବୈଜ୍ଞାନିକ ‘ଡି’ (Scientist ‘D’) ସି. ସାଇ କୃଷ୍ଣା ରହିଛନ୍ତି।
