Latest Odisha News

BREAKING NEWS

ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୁରାସୁ’

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କଲା ବାତ୍ୟା ମୁରାସୁ। ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ବାତ୍ୟା ‘ମୁରାସୁ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଜାରି ରହିଛି। ଏହାର ମୁଖ୍ୟ ମେଘ ବଳୟ ସ୍ଥଳଭାଗରେ ପ୍ରବେଶ କରୁଥିବା ବେଳେ ବାତ୍ୟାର କେନ୍ଦ୍ରସ୍ଥଳ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରୁଛି। ମଙ୍ଗଳବାର ଭୋର ପ୍ରାୟ ୧ଟା ସମୟରେ ଓଙ୍ଗୋଲ ନିକଟରେ ଏହି ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଅନ୍ତର୍ଗତ କୋଥାପାଟନମ୍ ବେଳାଭୂମି ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ହୋଇଛି।

IMD ଅନୁଯାୟୀ, ଭୀଷଣ ବାତ୍ୟା ‘ମୁରାସୁ’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ମଙ୍ଗଳବାର ଭୋର ୩:୩୦ ରୁ ୫:୩୦ ମଧ୍ୟରେ ନେଲ୍ଲୋର ଏବଂ ନରସାପୁର ମଝିରେ, ଓଙ୍ଗୋଲ ନିକଟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦-୧୧୦ କିଲୋମିଟର ବେଗରେ ପବନ ବହିଥିଲା, ଯାହା ଝଟକା ସହ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ପବନର ବେଗ ପ୍ରାୟ ଏଭଳି ରହିବାର ସମ୍ଭାବନା ରହିଛି।

ଅପରପକ୍ଷରେ ଏହି ବାତ୍ୟାକୁ ନେଇ ସର୍ତକ ହୋଇପଡ଼ିଛି ଓଡ଼ିଶା। ବାତ୍ୟା ‘ମୁରାସୁ’ ଅଧିକ ଘନୀଭୂତ ହେବା ପରେ ସୋମବାର ଦିନ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ସରକାର। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି। ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ହୋଇଛି।

ସେହିପରି ଦକ୍ଷିଣ ଓଡ଼ିଶାରେ ପ୍ରାୟ ୧.୬୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.