Latest Odisha News

BREAKING NEWS

ଗିଡ଼ିବାପାଲି ଭୂସ୍ଖଳନ: ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ, ମାଟି ତଳେ ଚାଲିଛି ଜୀବନ ଖୋଜା

ଗଞ୍ଜାମ/କନ୍ଧମାଳ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଜନିତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତବର୍ତ୍ତୀ ଭଞ୍ଜନଗର ବ୍ଲକର ବାଇପାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଛାତିଥରା ଭୂସ୍ଖଳନ ଘଟିଛି । ଯେଉଁଥିରେ ପୂରା ଗାଁ ମାଟି ଓ ପଥର ଅତଡ଼ା ତଳେ ପୋତି ହୋଇଯାଇଛି‌। ବିପୁଳ ମାଟି ଓ ପଥର ତଳେ ଚାପି ହୋଇ ରହିଥିବା ଗ୍ରାମବାସୀଙ୍କୁ ଖୋଜି ବାହାର କରିବା ପାଇଁ ମଙ୍ଗଳବାର ଦିନ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଏଥିପାଇଁ ‘ଗ୍ରାଉଣ୍ଡ-ପେନେଟ୍ରେଟିଂ ରାଡାର’ (GPR), ବିଶେଷ ଉପକରଣ ଏବଂ ନିୟନ୍ତ୍ରିତ ବିସ୍ଫୋରଣ (controlled blasting) ଭଳି ବ୍ୟବସ୍ଥାର ପ୍ରୟୋଗ କରାଯାଇଛି।

ଅକ୍ଟୋବର ୨୮ ତାରିଖ ଭୋର ପ୍ରାୟ ୩ଟା ସମୟରେ ଗାଁରେ ଏହି ବିପର୍ଯ୍ୟୟ ଘଟିଥିଲା। ପାହାଡ଼ ଉପରେ ଥିବା ଗିଡ଼ିପାବାଲି ଏକ ଆଦିବାସୀ ଗ୍ରାମ । ଏଠାରେ ପ୍ରାୟ ଗ୍ରାମ ୨୫ଟି ପରିବାର ବସବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୩ ଜଣ କୌଣସି ପ୍ରକାରେ ଜୀବନ ବଞ୍ଚାଇ ଖସି ଆସିବାରେ ସଫଳ ହୋଇଥିବା ବେଳେ ବାକି ଲୋକମାନେ ମାଟି ତଳେ ଚାପି ହୋଇ ନିଖୋଜ ହୋଇଯାଇଥିଲେ ।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏନଡିଆରଏଫ୍ (NDRF), ଓଡ୍ରାଫ୍ (ODRAF), ରେଳବାଇ ଏବଂ ଅଗ୍ନିଶମ ବିଭାଗର ୧୫୭ ଜଣ କର୍ମଚାରୀଙ୍କ ସହ ୨୫ ଜଣ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହା ବ୍ୟତୀତ, ଦୈନିକ ମଜୁରିଆମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ପାଇଁ ସମସ୍ତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି। ମାଟି ତଳେ ଚାପି ହୋଇ ରହିଥିବା ଜୀବନକୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି ।

ଏହି ମିଳିତ ଅଭିଯାନରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ସହିତ କେନ୍ଦ୍ରୀୟ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ସାମିଲ ଅଛନ୍ତି। ପ୍ରଭାବିତ ବାସିନ୍ଦାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିପର୍ଯ୍ୟୟର ତୁରନ୍ତ ପରେ ଉଦ୍ଧାର କରାଯାଇଥିଲା, ଅନ୍ୟପକ୍ଷରେ ୧୧ ଜଣ ନିଜ ପ୍ରଚେଷ୍ଟାରେ ସୁରକ୍ଷିତ ରହିପାରିଥିଲେ। ଉଦ୍ଧାର ହୋଇଥିବା ଗ୍ରାମବାସୀଙ୍କ ରହିବା ବ୍ୟବସ୍ଥା ଏବଂ ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥାର ତଦାରଖ ଉପ-ଜିଲ୍ଲାପାଳ (ସବ୍-କଲେକ୍ଟର) ପ୍ରଣିତା ଦାସ ନିଜେ କରିଥିଲେ। ଉକ୍ତ ୧୩ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଚାରି ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ (SAR operation) ମଧ୍ୟରେ, ଗୁରୁବାର ରାତିରେ ଘଟିଥିବା ଭୂସ୍ଖଳନରେ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସନ୍‌ମାନ ପ୍ରଧାନ (୨୯) ଏବଂ ରବି ମଲ୍ଲିକ (୫୨)। ଅଗ୍ନିଶମ ସେବା ନିର୍ଦ୍ଦେଶକ ଏସ୍. ସାରଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, “ଭୂସ୍ଖଳନ ଯୋଗୁଁ ଘରଗୁଡ଼ିକ ଉପରେ ପଡ଼ିଥିବା ବିଶାଳ ପଥରଖଣ୍ଡଗୁଡ଼ିକୁ ହଟାଇବାରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି; ଆଶଙ୍କା କରାଯାଉଛି ଯେ ସେହି ପଥରଗୁଡ଼ିକ ତଳେ ଆହୁରି କିଛି ମୃତଦେହ ଚାପି ହୋଇ ରହିଥାଇପାରେ।”

ନିଖୋଜମାନେ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହରେ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଥିଲା । ଉଦ୍ଧାରକାରୀ ଟିମ୍ ସିସ୍ ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ବ୍ୟବହାର କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ସେପଟେ, ଭୂସ୍ଖଳନରୁ ବଞ୍ଚିଯାଇଥିବା ସୁରକ୍ଷିତ ଲୋକଙ୍କୁ ଜି. ଉଦୟଗିରି ନିକଟସ୍ଥ ରିଲିଫ୍ କ୍ୟାମ୍ପରେ ରଖାଯାଇଛି ଏବଂ ପ୍ରଶାସନ ତରଫରୁ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.